ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ଜାଗ୍ରତ ନାରୀ ସଂଗଠନର ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ହସପିଟାଲର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ ରୋଗୀ ତଥା ସେମାନଙ୍କ ପରିବାରକୁ ଉଚିତ ସେବା ପ୍ରଦାନ ଦାବିରେ ଜାଗ୍ରତ ନାରୀ ସଂଗଠନ ପକ୍ଷରୁ ବୁଧବାର ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଉଛି । ସଂଗଠନର ସମ୍ପାଦିକା ମମତା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ ସହ ସମ୍ପ୍ରତ ଜିଲାର ସ୍ୱାସ୍ଥ୍ୟସେବା ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ସେମାନଙ୍କ ଆପତ୍ତି ଅନୁସାରେ ଜିଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନକୁ ୫ବର୍ଷ ବିତିବାକୁ ବସିଥିବା ବେଳେ ସ୍ୱାସ୍ଥ୍ୟସେବାରେ ବିଶେଷ ଉନ୍ନତି ହୋଇପାରିନାହିଁ । ଏକାଧିକ ବିଭାଗର ସ୍ଥାୟୀ ଡାକ୍ତର ଓ ରୋଗ ବିଶେଷଜ୍ଞ ନଥିବା ବେଳେ ଡାକ୍ତରଖାନା ପରିସରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ସଂଗଠନର ସମ୍ପାଦିକା ଶ୍ରୀମତୀ ଦାସ ଆରୋପ କରିଛନ୍ତି । ରୋଗୀମାନଙ୍କ ପ୍ରତି ଡାକ୍ତର, ନର୍ସ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ରୁକ୍ଷ ବ୍ୟବହାର ବଢ଼ି ଚାଲିଥିବା ବେଳେ ଡାକ୍ତରଖାନା ପରିସର ପରିଷ୍କାର ଓ ପରିଚ୍ଛନ୍ନତା ରହୁନାହିଁ । ଯେଉଁଠି ସେଇଠି ଗୁଟଖା ଜରି ଓ ପାନଛେପ ପକାଯାଉଥିବା ଲକ୍ଷ୍ୟ କରାଯାଇଛି ।ଏନେଇ ଡାକ୍ତରଖାନାର ପ୍ରତିଟି କୋଣ ଅନୁକୋଣରେ ସିସି କ୍ୟମେରା ଲଗାଇବା, ଗୁଟୁଖା ଜରି, କାଗଜ ଚାହା କପ, ଶାଳପତ୍ର, ଗଜ ତୁଳା, ପାନ ଛେପ, ଫଳ ଚୋପା ପକାଇବା ଉପରେ ଅଂକୁଶ ଲଗାଇବା ଓ ଜରିମାନା ଆଦାୟ କରିବା, ସମସ୍ତ ବିଭାଗରରେ ଡାକ୍ତର ଓ ଆବଶ୍ୟକ ସଂଖ୍ୟକ ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀ ନିଯୁକ୍ତି ଦେବା, ରୋଗୀଙ୍କ ପ୍ରତି ରୁକ୍ଷ ବ୍ୟବହାର କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି । ଏନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ