ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଲୋକଶକ୍ତି’ ର ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) : ଶେରଗଡ଼ସ୍ଥିତ ଲୋକଶକ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବ ଏବଂ ଏକାଧିକ ଅନୁଷ୍ଠାନର ପ୍ରତିଷ୍ଠାତା ରବୀନ୍ଦ୍ର କୁମାର ରାୟଙ୍କ ଧର୍ମପତ୍ନୀ ସ୍ୱର୍ଗତ ରାଗିଣୀ ଦେବୀଙ୍କ ୬୮ତମ ଜନ୍ମ ବାର୍ଷିକୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଗିଣୀ ଦେବୀ ସ୍ମୃତି କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ସଭାପତିତ୍ୱ କରି ରାଗିଣୀ ଦେବୀଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ଆଲେଚନା କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକଶକ୍ତି ସମାଜସେବା ପାଇଁ ପୂର୍ବରୁ ସୁଖ୍ୟାତି ଅର୍ଜନ କରିଥିବା ବେଳେ ଆଗାମୀ ଦିନରେ ଅଧିକ ସେବାମୂଳକ କାର୍ଯ୍ୟକରି ଏହା ଆହୁରି ପ୍ରଶଂସନୀୟ ହେବ ବୋଲି ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଥିଲେ । ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗିୟା ରାୟଙ୍କ ସମାଜସେବା ପ୍ରତି ଅନୁରାଗ ଓ ଜନମଙ୍ଗଳ କାର୍ଯ୍ୟମାନ ସବୁଦିନ ପାଇଁ ମନେ ରହିବ ବୋଲି ଉଲ୍ଲେଖ କରିଥିଲେ । ରାଗିଣୀ ଦେବୀ ସ୍ମୃତି କମିଟି, ଭଦ୍ରକ ଶାଖା ସଭାପତି ତଥା ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନା ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଲୋକଶକ୍ତିର ବିଭିଧ ସେବାମୂଳକ କାର୍ଯ୍ୟ ଏବଂ ରାଗିଣୀ ଦେବୀଙ୍କ ସାମାଜିକ ପ୍ରତିବଦ୍ଧତା ଅନ୍ୟମାନଙ୍କୁ ସର୍ବଦା ପ୍ରେରଣା ଦେଉଥିବ ବୋଲି ମତ ପ୍ରକାଶ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରିଡ୍ସ୍ସ’ର ସମ୍ପାଦକ ତଥା ଓଏସିସର ମୁଖ୍ୟ ସଂଜୟ କୁମାର ସାହୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସବୁଦିନ ପାଇଁ ଯେପରି ଏହି କାର୍ଯ୍ୟକ୍ରମ ପାଳନ କରାଯାଇ ପାରିବ ସେ ଦିଗରେ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଗୁରୁତ୍ୱାରୋପ କରିଥିଲେ । ଚନ୍ଦ୍ରଭାଗା ଅନୁଷ୍ଠାନର ମୁଖ୍ୟ ତଥା ବିଶିଷ୍ଟ କବି ଶ୍ରୀଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଗିଣୀ ଦେବୀଙ୍କ ସମୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଚଳଚିତ୍ର, ଅପେରା ଓ ବିଭିନ୍ନ ଧାରାବାହିକରେ ନିର୍ଦ୍ଦେଶନା ଦେଇଥିବା ଖ୍ୟାତାନାମା ନିର୍ଦ୍ଦେଶକ ଲାଲା ବିରେନ ରାୟ ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକଶକ୍ତି ଲୋକନାଟ୍ୟ ଓ ରାଗିଣୀ ଦେବୀଙ୍କ ସହ ତାଙ୍କର ସମ୍ପୃକ୍ତି ବିଷୟରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଜୟନ୍ତ କୁମାର ବାଗ, ସତ୍ୟସାଧନ ବେଜ, ହେମନ୍ତ କୁମାର ସିଂହ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଣାଶୁଣା ସମାଜସେବୀ ତଥା ଲୋକଶକ୍ତିର ମୁଖ୍ୟ ରବୀନ୍ଦ୍ର କୁମାର ରାୟ ଅନୁଷ୍ଠାନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ରାଗିଣୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଅଭିନେତା ତଥା ନିର୍ଦ୍ଦେଶକ ଲାଲା ବୀରେନ ରାୟ ଏବଂ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଲୋକଶକ୍ତିର ଉପ-ସଭାପତି ଜୟନ୍ତ କୁମାର ବାଗ, ବ୍ରଜ ଷଡ଼ଙ୍ଗୀ, ବିଜୟ କୁମାର ଶତପଥୀ ପ୍ରମୁଖ ଲୋକଶକ୍ତିର ପୂର୍ବତନ କର୍ମଚାରୀ ଓ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଗତ ରାଗିଣୀ ଦେବୀଙ୍କ ସ୍ମୃତିରେ ପୂର୍ବତନ କର୍ମଚାରୀ ନୃସିଂହ ଚରଣ କର ଏକ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଶ୍ରୀକୃଷ୍ଣ ଇଣ୍ଟରନ୍ୟାସନାଲ ସ୍ମୁଲର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ