ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଜିଲ୍ଲା ପ୍ରଶାସନର ବୈଠକ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଜୁଲାଇ ୪ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏକ ସମୟରେ ଏତେ ଲୋକଙ୍କୁ ସେବା ଯୋଗାଇବା ପ୍ରଶାସନ ପକ୍ଷେ ସମ୍ଭବ ନୁହେଁ । ତେଣୁ ମିଳିତ ଭାବେ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତଙ୍କ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିଲା ବେଳେ ସେମାନେ କିପରି ଭାବରେ ରଥଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ସେବା କରିବାରେ ନିଜକୁ ନିୟୋଜିତ କରିବେ ସେ ନେଇ ଜିଲ୍ଲାପାଳ ବଲୱାନ୍ତ ସିଂ ବୈଠକରେ ସମସ୍ତ ସଦସ୍ୟ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ବିଶେଷ ଭାବେ ରଥଯାତ୍ରା, ବାହୁଡାଯାତ୍ରା ଓ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଏତେ ସଂଖ୍ୟକ ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବା ପାଇଁ ବିଭିନ୍ନ ଛକରେ ପାଣି ବିତରଣ କେନ୍ଦ୍ର ଓ ପୁରୀଠାରୁ ଉତ୍ତରାଛକ ପର୍ଯ୍ୟନ୍ତ ରାସ୍ତାକଡରେ ଫାଷ୍ଟଏଡ୍ ସେଣ୍ଟରମାନ ଖୋଲାଯିବ । ସେଥିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଏବଂ ସେମାନଙ୍କ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂ ସୂଚନା ଦେଇଥିଲେ । ବୈଠକରେ ଶତାଧିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଗ ଦେଇଥିଲେ । ପରେ ଯେଉଁ ଅନୁଷ୍ଠାନ ସହଯୋଗ କରିବାକୁ ଚାହୁଛନ୍ତି ସେମାନେ ପ୍ରଶାସନ ନିକଟରେ ଦରଖାସ୍ତ କରନ୍ତୁ ଓ ପରେ ସେମାନଙ୍କ ସହିତ ଅନ୍ୟ ବୈଠକ କରାଯାଇ ସେବା ବଣ୍ଟନ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପଜିଲ୍ଲାପାଳ ଭବତରଣ ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।