ସ୍ୱେଚ୍ଛାସେବୀ ଜଗନ୍ନାଥ ରାଜୁଙ୍କୁ ଆନ୍ଧ୍ରରେ ଆଜୀବନ ସଫଳତାର ସମ୍ମାନରେ ସମ୍ବର୍ଦ୍ଧିତ କରାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡିର ମୁଖ୍ୟ ଏ.ଜଗନ୍ନାଥ ରାଜୁଙ୍କୁ ତାଙ୍କର କର୍ମମୟ ଜୀବନରେ ବିଭିନ୍ନ ସାମାଜିକ ତଥା ସ୍ୱେଚ୍ଛାସେବୀ ଭାବେ ଉଲ୍ଲେଖନୀୟ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସମାପନ କରିଥିବା ଯୋଗୁଁ ତାଙ୍କୁ ଆଜୀବନ ସଫଳତାର ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ରାଜୁଙ୍କୁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଠାରେ ଥିବା ସାଇ ପ୍ରିୟା ରିସୋର୍ଟ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସ୍ୱର୍ଗତ ଡ. ଶତପଥୀ ଭେଙ୍କେଟେଶ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାର ସୁଚନା ମିଲିଛି । ଉଲ୍ଲେଖ ଯୋଗ୍ୟ ଯେ, ସିସିଡି ମୁଖ୍ୟ ଶ୍ରୀରାଜୁ ଯୁବ ଅବସ୍ଥାରୁ ସ୍ୱେଚ୍ଛାସେବୀ ଭାବେ ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାରେ ସାଧାରଣଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗତ କରି ଲୋକଙ୍କ ଠାରେ ପ୍ରୀୟପାତ୍ର ହେବା ସହ ସିସିଡି ଏନ୍ଜିଓ ସଂସ୍ଥା ସ୍ଥାପନ କରି ଲୋକଙ୍କ ସୁଖ ଦଃୁଖର ସାଥୀ ହୋଇ ବେଶ ଲୋକପ୍ରୀୟ ଅର୍ଜନ କରିଛନ୍ତି । ଏହା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟକରି ଲୋକଙ୍କୁ ବିଭିନ୍ନ ସଚେତନତା ପ୍ରଦାନ କରିବା ସହ ସ୍ୱରୋଜଗାର ପନ୍ଥା ନିମନ୍ତେ ଲୋକଙ୍କୁ ବିଭିନ୍ନ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ ଆଦି କାର୍ଯ୍ୟକ୍ରମକୁ ତ୍ୱରାନିତ କରି ନିଜର ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଖୁବ କମ ଦିନରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢିତୋଳିଥିଲେ । ଆଜି ଏହି ଅନୁଷ୍ଠାନ ସମଗ୍ର ଗଜପତି ଜିଲ୍ଲାରେ ବେଶ ପରିଚିତ ଏବଂ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ମଧ୍ୟ କରଆସୁଛିି । ଏଭଳି ଜଣେ ସେବା ମନବୃତ୍ତିକ ବ୍ୟକ୍ତି ସିସିଡିର ମୁଖ୍ୟ ଏ.ଜଗନ୍ନାଥ ରାଜୁଙ୍କୁ ଆନ୍ଧ୍ରର ବିଶାଖପାଟଣାରେ ଆଜୀବନ ସଫଳତାର ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।


