ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ କରିବାକୁ ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ସର୍ବପୁରାତନ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ହିଞ୍ଜିଳିକାଟୁ ସ୍ୱୟଂଶାସିତ ମହାବିଦ୍ୟାଳୟ କୁ ହିଞ୍ଜିଳିକାଟୁ ପୈାରାଞ୍ଚଳ, ବ୍ଳକ୍ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶିକ୍ଷାର୍ଥୀ ମାନେ ଶିକ୍ଷା ଅଧ୍ୟୟନ ସକାଶେ ଆସୁଛନ୍ତି । +୨ ଓ +୩ ଶ୍ରେଣୀର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ଭାବେ ବିବିଏ ଓ ବିସିଏ ସମେତ ବାଣିଜ୍ୟ ବିଭାଗର ସ୍ନାତକୋତ୍ତର ଶିକ୍ଷାଦାନ ଚାଲୁରହିଛି । ସଂପୃକ୍ତ ସ୍ବୟଂଶାସିତ ମହାବିଦ୍ୟାଳୟରେ ଆବଶ୍ୟକୀୟ ଜମିକୁ ବାଦ୍ ଦେଲେ ଅନ୍ୟାନ୍ୟ ସମସ୍ତ ପ୍ରକାରର ଭିତ୍ତିଭୂମି ରହିଛି । ଏକକ ବିଶ୍ବବିଦ୍ୟାଳୟ ଭାବରେ ପରିଣତ କରିବା ପାଇଁ ଅଧିକ ୮ ଏକର ଜମିର ଆବଶ୍ୟକତା ରହିଛି । ଦକ୍ଷିଣ ଓଡ଼ିଶାରେ ମାତ୍ର ୨ଟି ବିଶ୍ୱବିଦ୍ୟାଳୟ ରହିଛି । ଏଭଳି ପରିସ୍ଥିତିରେ ହିଞ୍ଜିଳିକାଟୁ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଜ୍ଞାନ ଏକକ ବିଶ୍ବବିଦ୍ୟାଳୟ ଭାବରେ ପରିଣତ ହେଲେ ଶିକ୍ଷାର୍ଥୀ ମାନେ ବାଣିଜ୍ୟ, ପଦାର୍ଥ ବିଜ୍ଞାନ, ଜୀବ ବିଜ୍ଞାନ, ଓଡ଼ିଆ, ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ସମେତ ବହୁ ବିଷୟରେ ସ୍ନାତକୋତ୍ତର ଶିକ୍ଷା ଅଧ୍ୟୟନ କରିବାର ସୁଯୋଗ ପାଇ ପାରିଥାନ୍ତେ । ଆଗାମୀ ଦିନରେ ହିଞ୍ଜିଳିକାଟୁ କଲେଜକୁ ଜ୍ଞାନ ଏକକ ବିଶ୍ୱବିଦ୍ୟାଳୟ ଭାବରେ ପରିଣତ କରିବା ପାଇଁ ହିଞ୍ଜିଳିକାଟୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ମହାବିଦ୍ୟାଳୟର ଅଧ୍ୟକ୍ଷା, ପରିଚାଳନା କମିଟି ସଭାନେତ୍ରୀ ତଥା ରାଣୀ ସାହେବା ଭି ସୁଜ୍ଞାନୀ କୁମାରୀ ଦେଓ, ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ ଅରୁଣ ସାହୁ, ୫ଟି ସଚିବ ଭି କାର୍ତ୍ତିକେୟାନ ପାଣ୍ଡିୟାନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ପୈାରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ଛାତ୍ର ସଂସଦ ସଭାପତି ସୁଶାନ୍ତ କୁମାର ସାହୁ, ଶରତ ସାବତ, ଅଜୟ ସାହୁ, ପୂର୍ବତନ ନଗରପାଳ ଶିବରାମ ଗୈାଡ, ପୂର୍ବତନ ଛାତ୍ର ସଂସଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପବିତ୍ରଦେବ ଚର୍କବର୍ତ୍ତୀ, ସୁଶାନ୍ତ ସେଠି, ଲୋକନାଥ ସାହୁ, ଶ୍ରୀକର ମହାପାତ୍ରଙ୍କ ସମେତ ସଂପୃକ୍ତ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁ ପୁରାତନ ସଂସଦର ଛାତ୍ରନେତା, ପ୍ରାକ୍ତନ ଶିକ୍ଷାର୍ଥୀ ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


