ସଢ଼ା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ହରିଲୁଟର ତଦନ୍ତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନା ହରିଲୁଟର ତଦନ୍ତ ହୋଇଛି । ବିଡିଓଙ୍କ ନିଦେ୍ର୍ଦଶକ୍ରମେ ବ୍ଲକର ଏକ ୪ଜଣିଆ ଟିମ ଏହାର ତଦନ୍ତ କରିଛନ୍ତି । ପିଇଓ ଶରତ କୁମାର ବେଜ, ଶରତ କୁମାର ସାହୁ, ଉମାକାନ୍ତ ନାୟକ, ଅମୁଲ୍ୟ କୁମାର ପହି ପ୍ରମୁଖ ସଢ଼ା ପଞ୍ଚାୟତର ସଢ଼ା, ମିଠିଗାଁ, ମଉଦା, ଶୀଳପୋଖରୀ, ପଦାରୁଖା, ଜନ୍ତାଳପଦି ପ୍ରଭୃତି ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି । ବ୍ଲକ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ ହରିଶ୍ଚନ୍ଦ୍ର ଯୋଜନା ସହାୟତା ମିଳିଥିବା ହିତାଧିକାରୀଙ୍କ ଘରକୁ ଘର ବୁଲି ସେମାନେ ଏହି ଯୋଜନାର ସହାୟତା ପାଇଛନ୍ତି କି ନାହିଁ ସେ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ଲିପିବଦ୍ଧ କରିଛନ୍ତି । ସେମାନଙ୍କ ସହିତ ସଂପୃକ୍ତ ଗ୍ରାମର ଅଙ୍ଗନବାଡି କର୍ମୀମାନେ ମଧ୍ୟ ତଦନ୍ତକାରୀ ଦଳଙ୍କୁ ସହାୟତା କରିଥିଲେ । କିନ୍ତୁ ପଦାରୁଖା ଗ୍ରାମର ସ୍ୱର୍ଗତ ମଞ୍ଜୁଲତା ବାରିକଙ୍କ ଘରକୁ କେହି ଅଧିକାରୀ ଯାଇ ନଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ମଞ୍ଜୁଳତା ତିନିବର୍ଷ ପୁର୍ବେ ମୃତୁ୍ୟବରଣ କରିଥିବାବେଳେ ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଦିଆଯାଇ ନଥିଲା । ସେହିପରି ଏହି ପଞ୍ଚାୟତର ମିଠିଗାଁ ଗ୍ରାମର ମାଳତୀ ସାହୁଙ୍କ ଘରକୁ ଅଧିକାରୀ ମାନେ ଯାଇ ପଚାରିବା ସହିତ ସେ ଜୀବୀତ ଥିବାବେଳେ ତାଙ୍କ ନାମକୁ କିଏ ମୃତ ଦର୍ଶାଇଲା ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ । ଏବଂ ଏ ବାବଦ ଟଙ୍କା ତାଙ୍କ ପରିବାର ବର୍ଗଙ୍କୁ ଦିଆଯାଇ ନଥିବା ସେ କହିଥିଲେ । ସେହିପରି ଜନ୍ତାଳପଦି ଗ୍ରାମର ପଙ୍କଜ ପଳତାଙ୍କ ପରିବାରକୁ ସହାୟତା ଦିଆଯାଇ ନଥିବାବେଳେ ମଉଦା ଗ୍ରାମର ସଶ୍ମିତା ଜେନା, ସଚିନ୍ଦ୍ର ମଲ୍ଲିକ, ପଦାରୁଖା ଗ୍ରାମର କୁଅଁର ମୁର୍ମୁ, ନାହା ଗ୍ରାମର ଗୌରୀ ସାହୁ, ସଢ଼ା ଗ୍ରାମର ଚିତ୍ତରଞ୍ଜନ ବେହେରାଙ୍କ ପରିବାରକୁ ସହାୟତା ରାଶି ମିଳିନଥିବା ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ସେମାନେ ତଦନ୍ତ ରିପୋର୍ଟ ଆଜି ଅଫିସରେ ଦାଖଲ କରିଥିବା ସୁଚନା ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଏହି ପଞ୍ଚାୟତରେ ଅନେକ ମୃତ ହିତାଧିକାରୀଙ୍କ ପରିବାରକୁ ଟଙ୍କାଟିଏ ବି ମିଳିନଥିବାବେଳେ ଦୁଇ ଦୁଇଥର ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଅନୁଦାନ ଟଙ୍କା ହଡପ କରାଯାଇଥିବାବେଳେ ମାଳତୀ ସାହୁ ନାମକ ଜଣେ ମହିଳା ଜୀବୀତ ଥିବାବେଳେ ତାଙ୍କୁ ମୃତ ଦର୍ଶାଇ ତାଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଉଠାଣ କରାଯାଇଛି ।