ହକି ପିଲାଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହକି ପିଲାଙ୍କ ଗହଣରେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମସ୍ତ ହକିପ୍ରେମୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆଜି ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି ହାଇପରଫର୍ମାନ୍ସ ସେଂଟର ପରିସରରେ ହକି ଖେଳାଳୀଙ୍କୁ ମିଠା ଖୁଆଇବା ସହ ଅଲିମ୍ପିକ୍ ବିଜୟର ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ ପରାକାଷ୍ଠା ସହ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଆଜିର ଦିନ ସମଗ୍ର କ୍ରୀଡ଼ା ଇତିହାସରେ ଏକ ଗୌରବମୟ ଦିନ ହୋଇ ରହିବା ସହ ଆଗାମୀ ପିଢ଼ିର ଖେଳାଳୀମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ । ଆସନ୍ତାକାଲି ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବାକୁ ଯାଉଥିବାବେଳେ ଆଜିର ଉତ୍ସାହ ସେମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।
ବିଗତ ୮-୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଏବଂ କ୍ରୀଡ଼ା ଭିତିଭୂମିର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତା ଆଜି ଆମକୁ ସଫଳତାର ସୋପାନରେ ପହଂଚାଇପାରିଛି । ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଓ ମହିଳା ହକି ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜନ କରିବା ପାଇଁ ଯେଉଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଆମେ ତାକୁ ପାଳନ କରିଆସୁଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ଭାରତୀୟ ପୁରୁଷ ହକି ଦଳ ଆଜି ଯେଉଁ ଅଦ୍ଭୂତପୂର୍ବ ବିଜୟ ହାସଲ କଲେ ତାହା ବର୍ତମାନର କ୍ରୀଡ଼ାବିତ୍‌ଙ୍କୁ ବେଶ୍ ପ୍ରେରଣା ଯୋଗାଇବ । ଏହି ପରିପ୍ରେକ୍ଷୀରେ ଆଗାମୀ ପିଢ଼ିର ଖେଳାଳୀମାନଙ୍କ ଲାଗି ଆମ ସରକାର ସ୍ପୋନର୍ସସିପ୍ ସହ କ୍ରୀଡ଼ା ଭିତିଭୂମି ପ୍ରତିଷ୍ଠା, ହାଇ ପରଫର୍ମାନ୍ସ ସେଂଟର ଏବଂ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ । ଆମର ଦୃଢ଼ ପ୍ରଚେଷ୍ଟା ଆଗାମୀ ଦିନରେ ଓଡ଼ିଶାରେ ବହୁତ ଭଲ ଖେଳାଳୀ ସୃଷ୍ଟି କରି ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଦଳର ସମସ୍ତ ଖେଳାଳୀ, କୋଚ, ଅଫିସିଆଲ, ହକି ଇଣ୍ଡିଆ, ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ମାଟିରେ ଭାରତୀୟ ବିଜୟ ପତାକା ଉଡ଼ାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ