ହଠାତ୍ ଲିପ୍ଟ ବନ୍ଦ ହୋଇଗଲେ କରିବେ କ’ଣ ?
କୌଣସି ସୁଉଚ୍ଚ ଅଟ୍ଟାଳିକାର ଉପର ମହଲାକୁ ଯିବା ପାଇଁ ଲିପ୍ଟ ବ୍ୟବହାର କରିବାକୁ ପଡ଼ିଥାଏ । ସମ୍ପ୍ରତି ଲିପ୍ଟକୁ ନେଇ ଦୁର୍ଘଟଣାମାନ ଘଟିଚାଲିଛି । ସେ ସବୁ ଜାଣିବା ପରେ ଭୟ ଲାଗିବା ସ୍ୱାଭାବିକ । ସେହିପରି ଯଦି ଆପଣ କୌଣସି ଛୋଟ ପିଲାଙ୍କୁ ନେଇ ଲିପ୍ଟରେ ଯାଇଛନ୍ତି କିମ୍ବା ଆପଣଙ୍କ ପିଲାଙ୍କୁ ଏକାକୀ ଲିପ୍ଟରେ ଛାଡୁଛନ୍ତି ତେବେ ଏ ସମୟରେ ଆପଣଙ୍କୁ ସତର୍କ ରହିବା ଉଚିତ୍ । ନଚେତ୍ ଏହି ଲିପ୍ଟ ପାଇଁ ଆପଣଙ୍କ ପିଲାର ଜୀବନ ଚାଲିଯିବାର ସମ୍ଭାବନା ରହିଛି । ତେଣୁ ଲିପ୍ଟରେ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । କିଛି ଦିନ ତଳେ ଏକ ଆପାର୍ଟମେଣ୍ଟରେ ରାତି ପାଖାପାଖି ୯ଟା ସମୟରେ ଲିପ୍ଟରେ ଏକ ଛୋଟ ପିଲା ଫସିଯାଇଥିଲା । ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ କହିବା କଥା ହେଲା, ପିଲାଟି ଲିପ୍ଟରେ ଦୀର୍ଘ ୩୦ ମିନିଟ୍ କାଳ ଫସି ରହିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଲା, ପିଲାଟି ଏତେ ସମୟ ଧରି ଲିପ୍ଟରେ ବନ୍ଦ ରହିବା ସତ୍ତ୍ୱେ କେହି ବି ତାକୁ ସେଥିରୁ ବାହାର କରିବାକୁ ଆସିନଥିଲେ । ବାଧ୍ୟ ହୋଇ ପୁଲିସକୁ ଡକାଯାଇଥିଲା ଓ ଶେଷରେ ପିଲାଟିକୁ ଲିପ୍ଟ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଯେତେବେଳେ ପୁଲିସ ଏହାର ସିସିଟିଭି ଯାଞ୍ଚ କରିଥିଲା ସେତେବେଳେ ଜଣାପଡିଥିଲା, ପିଲାଟି ଲିପ୍ଟ ଭିତରେ ଥିବା ସବୁ ଯାକ ବଟନକୁ ଏକାସାଥିରେ ଦବାଇପକାଇଥିଲା । ଯେଉଁ କାରଣରୁ ଲିପ୍ଟଟି ଅଚଳ ହୋଇଯାଇଥିଲା । ତେଣୁ ଆପଣ ଯେତେବେଳେ ଲିପ୍ଟରେ ପିଲାଙ୍କୁ ନେଇ ଯାଉଛନ୍ତି କିମ୍ବା ପିଲାଙ୍କୁ ଏକା ଲିପ୍ଟରେ ଛାଡୁଛନ୍ତି ତେବେ ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ତେବେ ଯାଇ ଆପଣ ଆଉ ଆପଣଙ୍କ ପରିବାର ସୁରକ୍ଷିତ ରହିବ । ଯଦି କୌଣସି କାରଣରୁ ଲିପ୍ଟ ବନ୍ଦ ହୋଇଯାଏ ତେବେ ଏଥିରେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ବରଂ ୨୦ ସେକେଣ୍ଡ ଅପେକ୍ଷା କରନ୍ତୁ । କାରଣ ୨୦ ସେକେଣ୍ଡ ପରେ ଅଟୋମେଟିକ ରେସ୍କ୍ୟୁ ଡିଭାଇସ କାମ କରିବା ଆରମ୍ଭ କରିଦେଇଥାଏ । ଏହି ଡିଭାଇସ ଜରିଆରେ ଲିପ୍ଟ ଆପଣ ମାରିଥିବା ଫ୍ଲୋରରେ ପହଞ୍ଚିବା ମାତ୍ରେ ଆପଣା ଛାଏଁ ଖୋଲି ଯାଇଥାଏ । ଜରୁରୀକାଳୀନ ବଟନକୁ ବ୍ୟବହାର କରି ସୂଚନା ଦେଇପାରିବେ । କିଛି କିଛି ଲିପ୍ଟରେ ଟେଲିଫୋନ ଲଗାଯାଇଥାଏ । ତେବେ ଏହି ଫୋନ ଜରିଆରେ ବି ଆପଣ ସହଯୋଗ ମାଗିପାରିବେ । ସେହିପରି ସାୟରନ ବଟନ ଜରିଆରେ ବି ଆପଣ ସୂଚନା ଦେଇପାରିବେ । ବାହାରେ ଥିବା ଲୋକେ ମଧ୍ୟ ଡି-ଲକିଂକୁ ବ୍ୟବହାର କରି ଲିପ୍ଟ ଖୋଲିପାରିବେ । ଲିପ୍ଟକୁ ରୋକିବା ପାଇଁ ଆପଣ ହାତ ଜାଗାରେ ସେଥିରେ ଥିବା ବଟନ ବ୍ୟବହାର କରିପାରିବେ । ଲିପ୍ଟ ଅଟକି ଗଲେ ବାରମ୍ବାର ବଟନକୁ ଦବାନ୍ତୁ ନାହିଁ । ଲିପ୍ଟ କବାଟକୁ ନିଜେ ଖୋଲିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ । ଲିପ୍ଟ ଭିତରେ ଡିଅଁନ୍ତୁ ନାହିଁ । ସେହିପରି ଲିପ୍ଟକୁ ଅଟକାଇବା ପାଇଁ ହାତ କିମ୍ବା ଗୋଡ ବ୍ୟବହାର କରନ୍ତୁ ନାହିଁ । ଛୋଟ ପିଲାଙ୍କୁ ଲିପ୍ଟରେ ଏକାକୀ ପଠାନ୍ତୁ ନାହିଁ । ପିଲାଙ୍କୁ ଲିପ୍ଟ କିପରି ବ୍ୟବହାର କରାଯାଏ ସେ ସମ୍ପର୍କରେ ଭଲ ଭାବରେ ବୁଝାନ୍ତୁ । ହେବ ଯଦି ନିଜେ ବି ପିଲାଙ୍କ ସହ ଲିପ୍ଟରେ ଯାଆନ୍ତୁ ।