ହତ୍ୟାକାଣ୍ଡ ମାମଲା, ୫ଜଣଙ୍କୁ ଅଟକ ରଖି ପୁଲିସର ତଦନ୍ତ ଜାରି
ହାଟଡ଼ିହି, (ବିକାଶ ବିଶ୍ୱାଳ ):ଦନେଇପୁର ଗ୍ରାମର ମାହାଲି ସାହିରେ ଗତ ବୁଧବାର ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସୋସୋ ପୁଲିସ ୫ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ନିଉଦାନୀ ଗ୍ରାମର ହିମାଂଶୁ ପାତ୍ର ଗତ ବୁଧବାର ଅପରାହ୍ନରେ ଦନେଇପୁର ଗ୍ରାମର ମାହାଲି ସାହିକୁ ଯାଇ ଆଉ ଫେରି ନଥିଲେ। ଗୁରୁବାର ସକାଳୁ ହିମାଂଶୁର ମୃତଦେହ ନିକଟସ୍ଥ ତୋଟାରେ ପଡିଥିବା ଦେଖିବାକୁ ମିଳିଥିଲା। ମୃତ ହିମାଂଶୁ ଙ୍କ ଶରୀରରେ ଅନେକ କ୍ଷତଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ମୃତ ହିମାଂଶୁଙ୍କ ପତ୍ନୀ ଅନୁସୂୟାଙ୍କ ଅଭିଯୋଗ କ୍ରମେ ପୋଲିସ ଥାନା କେଶ ନମ୍ବର ୧୬୨/୨୦୨୩ ରେ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ପୁଲିସ ତଦନ୍ତରେ ବିଳମ୍ବ ହେବା ଦେଖି ଗ୍ରାମବାସୀ ମାନେ ଶବକୁ ଧରି ସୋସୋ ଡାକ୍ତରଖାନା ସମୁଖରେ ରାସ୍ତାରୋକ କରିବାରୁ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଅନେକ ବୁଝା ସୁଝା ପରେ ବିଳମ୍ବିତ ରାତିରେ ରାସ୍ତାରୋକ ହଟିବା ପରେ ପୁଲିସ ଶବକୁ ଆନନ୍ଦପୁର ଡାକ୍ତରଖାନାକୁ ନେଇ ବ୍ୟବଚ୍ଛେଦ କରାଇଛି। ପୁଲିସ ଏହି ଘଟଣାରେ ଦନେଇପୁର ଗ୍ରାମର ୩ଜଣ ଓ ମହାନ୍ତିପଡା ଅଞ୍ଚଳରୁ ଦୁଇଜଣ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଦେଶୀ ମହୁଲି ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏହି ଅଞ୍ଚଳରେ ଦେଶୀ ମଦ ବେପାର ବୃଦ୍ଧି ପାଉଥିବାରୁ ପ୍ରତିଦିନ ଏଠାରେ ଅନେକ ବିଶୃଙ୍ଖଳା ହେବାସହ ପୂର୍ବରୁ ମଧ୍ୟ ଅନେକ ଅଘଟଣ ଘଟିବା ନଜିର ରହିଛି। ତେଣୁ ଏହି ଅଞ୍ଚଳ ରୁ ଦେଶୀମଦ କାରବାର କୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।