ହତ୍ୟା ଘଟଣାକୁ ଦୁର୍ଘଟଣା ରୂପ ଦେଉଛି ପୁଲିସ ପ୍ରେସମିଟ କରି ପରିବାର ଲୋକେ ଆଣିଲେ ଅଭିଯୋଗ

ନବରଙ୍ଗପୁର,(ୱାଏନଏସ): ହତ୍ୟାକାଣ୍ଡ ମାମଲାକୁ ଚାପି ଦିଆଯାଇ ଦୁର୍ଘଟଣାର ରୂପ ଦେବାକୁ ଚାପ ପ୍ରୟୋଗ କରାଯାଉଥିବା ନେଇ ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ସଦସ୍ୟ । କୋରାପୁଟ ଜିଲା ବୋରିଗୁମ୍ମା ଥାନା କାଳିଆଗୁଡା ନିକଟ ଭାରତ ମାଳା ଓଭର ବ୍ରିଜ ନିକଟରେ ଏକ ହତ୍ୟା ଘଟଣାକୁ ପୋଲିସ ଦୁର୍ଘଟଣା ରୂପ ଦେଇ ମାମଲାକୁ ରଫା ଦଫା କରି ଦେଇଛି ।ଏଭଳି ସାଙ୍ଘାତିକ ଅଭିଯୋଗ କରି ନ୍ୟାୟ ପାଇଁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପରିବାର ଲୋକ । ସ୍ଥାନୀୟ ଏକ ଲଜରେ ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଥାନା ବିଜରାଗୁଡା ଗାଁର ବିଘ୍ନ ରାଜ ପାତ୍ର, ମୁରଳୀ ପାତ୍ର, ବାବୁଲା ପାଇକ, ଡାଳବନ୍ଧୁ ମାଝୀ ଓ ଦଶା ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବର ୧୩ ତାରିଖ ରାତି ପ୍ରାୟ ୧୦ ଟା ବେଳକୁ ବିକାଶ ସିଂ ଲାଲ ଓ ସଚିନ କନ୍ଧପାନ ଦୁହେଁ ଏକ ବାଇକ୍ (ଓଡ଼ି ୨୪ଇ ୬୪୬୮)ରେ କୋରାପୁଟ ଜିଲା ଆମ୍ବାଗୁଡା ଗାଁରୁ ନିଜ ଗାଁ ବିଜରାଗୁଡା ଗାଁ କୁ ଫେରୁଥିଲେ । ବାଟରେ କାଳିଆଗୁଡା ଗାଁ ନିକଟ ଭାରତ ମାଳା ଓଭର ବ୍ରିଜ ନିକଟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ଠେଙ୍ଗା ଓ ବିଭିନ୍ନ ମରଣାସ୍ତ୍ରରେ ବିକାଶ ସିଂ ଲାଲଙ୍କୁ ଆକ୍ରମଣ କରିଥିଲେ । ବିକାଶ ସାଥିରେ ଥିବା ସଚିନ କନ୍ଧପାନ ସେମାନଙ୍କ ଆକ୍ରମଣରେ ଆହତ ହୋଇ ପ୍ରାଣ ବିକଳରେ ସେଠାରୁ ଖସି ଯାଇଥିଲେ । ଅନ୍ୟ ପକ୍ଷରେ ବିକାଶ ଦୁଵୃର୍ତଙ୍କ ଆକ୍ରମଣରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବିକାଶର ମାମୁଁ ବିଘ୍ନ ରାଜ ପାତ୍ର ଅଭିଯୋଗ କରିଛନ୍ତି । ଏହା ଏକ ହତ୍ୟା ଘଟଣା ହୋଇଥିବା ବେଳେ ପ୍ରତକ୍ଷ ଦର୍ଶି ସଚିନ କନ୍ଧପାନକୁ ପୁଲିସ ଓଲଟା ଧମକ ଚମକ ଦେଇ ହତ୍ୟା ଘଟଣାକୁ ଚପାଇବା ପାଇଁ ଦୁର୍ଘଟଣା ଘଟିଥିବା ସ୍ୱୀକାର କରିବା ପାଇଁ ଚାପ ପକାଉଛି । ଏହିଭଳି ଅଭିଯୋଗକୁ ନେଇ ନ୍ୟାୟ ପାଇବା ଆଶାରେ କୋରାପୁଟ ଏସପିଙ୍କ ନିକଟରେ ଶୁକ୍ରବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ତଥାପି କୌଣସି ସୁଫଳ ମିଳିନଥିବା ବୋଲି ସାମ୍ବାଦିକ ସମ୍ମିଳନୀରେ ପରିବାର ଲୋକ କହିଛନ୍ତି । ଅନ୍ୟପକ୍ଷରେ ବୋରିଗୁମ୍ମା ଥାନା ଅଧିକାରୀ ଯୁଗଳ କିଶୋର ସାହୁ ଙ୍କୁ ପଚରିବାରୁ ଅଭିଯୋଗକୁ ପୁଲିସ୍ ଧମକ ଚମକ ଘଟଣାକୁ ଖଣ୍ଡନ କରିବା ସହିତ ଅଭିଯୋଗର ତଦନ୍ତ ଜାରି ରହିଛି ଏବଂ ଏହା ହତ୍ୟା କି ଦୁର୍ଘଟଣା ମାମଲା ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଛେଦ ରିପୋର୍ଟ ଓ ସଂପୂର୍ଣ୍ଣ ତଦନ୍ତ ପରେ ମାମଲା ସ୍ପଷ୍ଟ ହେବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ