ହତ୍ୟା ମାମଲାରେ ଅପରାଧିକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ସେସନ୍ ଜଜ୍ : ସତ୍ୟପୀର ମିଶ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସେସନ୍ ଜଜ୍ ସତ୍ୟପୀର ମିଶ୍ର ଏକ ହତ୍ୟା ମାମଲାର ଶୁଣାଣି କରି ଅପରାଧି ବିପ୍ର ମଲ୍ଲିକ (୫୦)କୁ ଆଜୀବନ କରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ମାସ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ମୋହନା ଥାନା ଅନ୍ତର୍ଗତ କେହେଲିଗୁଡା ଗ୍ରାମର ଜୟନ୍ତୀ ମଲ୍ଲିକ(୨୫) ନାମକ ଜଣେ ମହିଳା ଯିଏକି କୁଯେକି ସ୍କୁଲରେ ପାଚିକା ଭାବେ କାମ କରୁଥିଲେ, ସେ ଗତ ୧୧.୦୯.୨୦୧୭ ମଧ୍ୟାହ୍ନ ୧ଘଣ୍ଟା ସମୟରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପରେ ରୋଷେଇରେ ବ୍ୟବହୃତ ଡେକ୍ଚି, କଢେଇ ଆଦିକୁ ମାଜିବା ପାଇଁ ନଳକୂପ ପାଖରେ ଧୋଇବା ସମୟରେ ସେହି ଗ୍ରାମର ତଥା ତାଙ୍କ ପଡୋଶୀ ବିପ୍ର ମଲ୍ଲିକ ହଠାତ ଆସି ତାର ମୁଣ୍ଡ ପଛ ପଟକୁ ଏକ କାଠ ଫାଳିଆ ଦ୍ୱାରା ବହୁବାର ଆଘାତ କରିଥିଲେ । ଫଳରେ ଜୟନ୍ତୀ ସେଠାରେହିଁ ଟଳିପଡିଥିଲେ । ଘଟଣାକୁ ନେଇ ମୃତକଙ୍କ ଭାଇ ବାଡି ମଲ୍ଲିକ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ତଦନ୍ତକାରୀ ଟିମ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ପଡୋଶୀଙ୍କ ବହୁବାର ଝଗଡା ଲାଗି ରହୁଥିଲା ଏବଂ ହତ୍ୟାକାରୀ ବିପ୍ର ମଲ୍ଲିକ ଜୟନ୍ତୀ ମଲ୍ଲିକକୁ ହତ୍ୟା ଧମକ ଚମକ ଦେବା ସହ ଗାଳିଗୁଲଜ କରୁଥିଲା । ଅଭିଯୋଗକୁ ଭିତ୍ତି କରି ମୋହନା ଥାନାରେ ୧୧୩/୧୭ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ବିପ୍ର ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା । ପରେ ଉକ୍ତ ମାମଲାଟି ଜିଲ୍ଲା ସେସନ୍ ଜଜ୍ ଗଜପତିଙ୍କ ଅଦାଲତରେ ଏସ୍ଟି-୬/୧୮ ପ୍ରକାରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ଥିଲା । ସର୍ବ ମୋଟ ୨୬ ଗୋଟି ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ତର୍କ ସମୟରେ ଅଭିଯୁକ୍ତ ତରଫରୁ ଓକିଲ ମାନସିକ ବିକାର ଗ୍ରସ୍ତ ସମୟରେ ଏପରି ଘଟଣା ହୋଇଛି ବୋଲି ଯୁକ୍ତି ବାଢିଥିଲେ । ଯ।।ହାକୁ ମହାମାନ୍ୟ ଅଦାଲତ ଅଗ୍ରାହ୍ୟ କରି ସରକାରୀ ଓକିଲଙ୍କ ଯୁକ୍ତିକୁ ଯଥାଯତ ବିବେଚନା କରି ଉଲ୍ଲେଖିତ ଦଣ୍ଡ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ପିପି ଶରତ ଚନ୍ଦ୍ର ପ୍ରଧାନ ମାମଲା ପରିଚାଳନା କରିଥିବା ବେଳେ ମୁଦାଲା ପାଇଁ ଓକିଲ ହରେ କୃଷ୍ଣ ପାତ୍ର ମାମଲା ପରିଚାଳନା କରିଥିବାର ଜଣାପଡିଛି ।