ହତ୍ୟା ମାମଲାରେ କୃଷ୍ଣଙ୍କୁ ମିଳିଲା ଅନ୍ତରୀଣ ଜାମିନ୍
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବହୁ ଚର୍ଚ୍ଚିତ ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ (ବଚ୍ଚନ) ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ବିଜେପି ଜିଲ୍ଲା ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଗୁରୁବାର ଅନ୍ତରୀଣ ଜାମିନ୍ରେ ମୁକୁଳିଛନ୍ତି । ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଠାରେ ଗତ ୨ ତାରିଖରେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ । ଏହି ପିରିପ୍ରେକ୍ଷୀରେ ମାନ୍ୟବର ହାଇକୋର୍ଟ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ୍କୁ ୨୦.୦୮.୨୦୧୯ ତାରିଖ ଦିନ ମଞ୍ଜୁର କରିଛନ୍ତି । କୃଷ୍ଣ ଚନ୍ଦ୍ର ନାୟକ ଆଜି ଠାରୁ ୪୨ ଦିନ ପରେ ତଥା ଅକ୍ଟୋବର ୩ ତାରିଖ ତାରିଖରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ ଅତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ରହିଛି । ମାନ୍ୟବର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଅନୁସାରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖା ରାଣୀ ରଥ ୨୦ ହଜାର ଟଙ୍କାର ମୁଚାଲିକା ସହ ଦୁଇଜଣଙ୍କ ଜିମାରେ ଏବଂ ସାକ୍ଷ୍ୟମାନଙ୍କୁ ଧମକ ଚମକ ନ ଦେବା ପାଇଁ ସର୍ତ୍ତ ରଖି ଜାମିନ୍ ପ୍ରଦାନ କରିଥିଲେ । ୨୦୧୭ ମସିହା ଅକ୍ଟୋବର ୨୮ ତାରିଖରେ ଅଭିଯୁକ୍ତ କୃଷ୍ଣ ନାୟକ ଗିରଫ ହୋଇଥିବା ବେଳେ ଏକ ବର୍ଷ ୧୦ ମାସ ଧରି ଜେଲରେ ଥିଲେ । \n