ହଦଗଡରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଗିରଫ

ହାଟଡ଼ିହି : କମେଟ ମରାକୁ କେନ୍ଦ୍ରକରି ପର୍ଯ୍ୟଟନ କ୍ଷେତ୍ର ହଦଗଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ରବିବାର ହୋଇଥିବା ଆକ୍ରମଣ ଘଟଣାରେ ସୋସୋ ପୁଲିସ ଏକ କାରକୁ ଜବଦ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ଗତ ୨୮ତାରିଖରେ  ହଦଗଡରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିଲା । କଟକ, ଭୁବନେଶ୍ୱର, ୱେଷ୍ଟବେଙ୍ଗଲ, ବାଲେଶ୍ୱର, ଭଦ୍ରକ ଆଦି ଅଞ୍ଚଳରୁ ଅନେକ ପର୍ଯ୍ୟଟକ ସେମାନଙ୍କ ପରିବାର ସହିତ ଆସି ବଣଭୋଜି କରିଥିଲେ । ସନ୍ଧ୍ୟା ସମୟରେ କିଛି ଯୁବକ ଯୁବତୀ ନିଶାଶକ୍ତ ହୋଇ କମେଟ ମାରିବାରୁ ଦୁଇ ପର୍ଯ୍ୟଟକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଭୁବନେଶ୍ୱରର ପ୍ରିୟବ୍ରତ ସୁବୁଦ୍ଧି ଓ ଏଲିନା ମହାନ୍ତି ନାମକ ଦୁଇଜଣ ପର୍ଯ୍ୟଟକ ଆହତ ହେବାସହ ସେମାନଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଯାଇଥିଲା । ଏନେଇ ଘସିପୁରା ଥାନାରେ ସେମାନେ ଅଭିଯୋଗ କରିବାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସୋସୋ ପୁଲିସ ଘଟଣାର ତଦନ୍ତ କରିବା ସହିତ ଏକ କାରକୁ ଅଟକ ରଖି ତଦନ୍ତ ଚଳାଇଥିବାବେଳେ ଗତକାଲି ଭଦ୍ରକ ଜିଲ୍ଲା ନାହାମି ଗ୍ରାମର ଦିପ୍ତିସୂର୍ଯ୍ୟ ବିଶ୍ୱାଳ ଓ ମଢ଼ିଆଳି ଗ୍ରାମର ବିଶ୍ୱରଞ୍ଜନ ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ହଦଗଡରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ପର୍ଯ୍ୟଟକ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ସେଠାରେ ସୁରକ୍ଷା ବ୍ୟବସ୍ଥା ଆଦୌ ନଥିବା କିଛି ପର୍ଯ୍ୟଟକ ଅଭିଯୋଗ କରୁଛନ୍ତି । ହଜାର ହଜାର ପର୍ଯ୍ୟଟକ ପିକିନିକ କରିବାକୁ ଯାଉଥିବାବେଳେ ମାତ୍ର ୬/୭ଜଣ ପୁଲିସ କନେଷ୍ଟବଲ ଓ ହୋମଗାର୍ଡ କେବଳ ଜଗି ବସୁଛନ୍ତି । ତେଣୁ ପର୍ଯ୍ୟଟକ ମାନଙ୍କୁ କିପରି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ସେନେଇ ଜିଲ୍ଲା ଏସ.ପି ଧ୍ୟାନ ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ