ହଦଗଡ ସରପଞ୍ଚଙ୍କ ଦ୍ୱାରା ଧରାପଡିଲା ନକଲି ଭତ୍ତା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକରେ ଏବେ ପ୍ରତି ପଞ୍ଚାୟତରେ ଭତ୍ତା କେଳେଙ୍କାରୀ ନଜରକୁ ଆସୁଚି । ନୁତନ ସରପଞ୍ଚ ମାନେ ଦାୟିତ୍ୱ ନେଇ ଭତ୍ତା ବଣ୍ଟନ କରିବାପରେ ଏହି ଭତ୍ତା ଜାଲିଆତି ଧରା ପଡୁଛି । ପୁର୍ବରି ଡଅଁ ପଞ୍ଚାୟତରେ ୪୮ଜଣ ମଲାଲୋକ ଭତ୍ତା ନେଉଥିବାବେଳେ କେ ବାଲିପାଳ ପଞ୍ଚାୟତରେ ମଧ୍ୟ ୫୦ରୁ ଉର୍ଦ୍ଧ ମୃତ ବ୍ୟକ୍ତିଙ୍କ ନାମରେ ବର୍ଷ ବର୍ଷ ଧରି ଭତ୍ତା ଦିଆଯାଉଥିବା ଜଣାପଡିବାପରେ ବିଡିଓ ନିଜେ ଉପସ୍ଥିତ ରହି ଏହିସବୁ ଜାଲିଆତିକୁ ହଟାଇଥିଲେ । ସେହିପରି ଏବେ ହଦଗଡ ପଞ୍ଚାୟତରେ ଅନେକ ଭତ୍ତା ଜାଲିଆତି ନଜରକୁ ଆସିବାପରେ ସରପଞ୍ଚ ଏହି ଭତ୍ତା କାର୍ଡ ଗୁଡିକୁ ଜବଦ କରିଛନ୍ତି । ନବ ନିର୍ବାଚିତ ସରପଞ୍ଚ ନିରୁପମା ନନ୍ଦି ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ । ହଦଗଡ ପୟ୍ଚାୟତର ୬ଟି ୱାର୍ଡରେ ଆଜି ପ୍ରଥମ ପର୍ଯ୍ୟାୟରେ ଭତ୍ତା ବଣ୍ଟନ ବେଳେ ଅନେକ ଜାଲିଆତି ତାଙ୍କର ଦୃଷ୍ଟିଗୋଚର ହୋଇଥିଲା । ବିଶେଷକରି କିଛି ଲୋକଙ୍କ ନାମରେ ଦୀର୍ଘମାସ ହେଲା ଭତ୍ତା ୁଉଠୁଥିବାବେଳେ ତାହା ହିତାଧିକାରୀଙ୍କୁ ଦିଆଯାଉ ନଥିବା ନଜରକୁ ଆସିଥିଲା । ସେହିପରି ଆଉ କିଛି ୪୦ରୁ ୪୫ବର୍ଷର ଲୋକଙ୍କୁ ଭତ୍ତା ଦିଆଯାଉଥିବା ଦେଖିବାକୁ ମିଳିଥିଲା । ସରପଞ୍ଚ ଏସବୁ ଅନିୟମିତତା ଦେଖିବାପରେ କାର୍ହ ଗୁଡିକୁ ଜବଦ କରି ବିଡିଓଙ୍କୁ ଦେଖାଇବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହି ପଞ୍ଚାୟତରେ ବଡ ଘୋଟାଲା ହୋଇଥିବା ସେ ସୁଚନା ଦେଇଛନ୍ତି । ଖାଲି ଏହି ଗୋଟିଏ ପଞ୍ଚାୟତ ନୁହଁ ବ୍ଲକର ଅଧିକାଶଂ ପଞ୍ଚାୟତରେ ଅଯୋଗ୍ୟ ବ୍ୟକ୍ତି, ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଇ ହଡପ କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ବ୍ଲକର ଜଣେ କର୍ମଚାରୀ ଏହି ଘୋଟାଲାରେ ସଂପୃକ୍ତି ଥିବାନେଇ ଚର୍ଚ୍ଚା ମଧ୍ୟ ହେଉଛି । କେନ୍ଦୁଝର ଜିଲ୍ଲାପାଳ ହାଟଡିହି ବ୍ଲକର ଭତ୍ତା ହିତାଧିକାରୀଙ୍କୁ ଯାଞ୍ଚ କଲେ ବହୁ ଗୁମର ଖୋଲିଯାଆନ୍ତା ବୋଲି ଆଲୋଚନା ହେଉଛି ।