ହରପ୍ରିୟା ନାୟକ କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଶ୍ରମ ଅଧିକାରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ନୂତନ ଶ୍ରମ ଅଧିକାରୀ ଭାବେ ହରପ୍ରିୟା ନାୟକ ବୁଧବାର ଯୋଗ ଦେଇଛନ୍ତି । ଦୀର୍ଘଦିନ ଧରି ଏହି ପଦରେ କେହି ନ ଥିବାରୁ ଶ୍ରମିକମାନଙ୍କ ବିଭିନ୍ନ କାର୍ଯ୍ୟ ହୋଇପାରୁ ନଥିଲା । ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଦୀର୍ଘବର୍ଷ ହେବ ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ଏହି ଦାବିକୁ ସମ୍ମାନ ଜଣାଇ କେନ୍ଦ୍ରାପଡ଼ା ଜିଲ୍ଲାପାଇଁ ଜଣେ ସ୍ୱତନ୍ତ୍ର ଶ୍ରମ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରମ ଅଧିକାରୀଙ୍କୁ ଶ୍ରମିକ ନେତା ତଥା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ପ୍ରାୟ ୫ ବର୍ଷ ହେବ ଏହି ପଦଟି ଖାଲି ପଡିଥିଲା । ଏହି ପଦବୀ ପୁରଣ ହେବା ପରେ ଶ୍ରମିକମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଛି ।