ହରିପୁରଗଡ଼ ଥିଲା ମୟୂରଭଞ୍ଜର ରାଜଧାନୀ

ମରହଟ୍ଟାମାନେ ଉତ୍କଳ ଆକ୍ରମଣ କରିସାରିଥିଲେ। ସେମାନଙ୍କୁ ସେତେବେଳେ କୁହାଯାଉଥିଲା ବର୍ଗୀ। ବର୍ଗୀମାନଙ୍କ ହତ୍ୟା, ଲୁଟପାଟ୍‌ରେ ସାରା ମୂଲକ ଥରହର ହୋଇଉଠିଥିଲା। ଛଳ, ବଳ, କୌଶଳରେ ଗୋଟିଏ ପରେ ଗୋଟିଏ ଗଡ଼ ନିଜ କବ୍‌ଜାକୁ ନେଇଯାଉଥିଲେ। ଉଦ୍ଦେଶ୍ୟ ଥିଲା, ଉତ୍କଳରେ ମରହଟ୍ଟା ସାମ୍ରାଜ୍ୟ ପ୍ରତିଷ୍ଠା କରିବା । ହରିପୁର ଗଡ଼ର ପୂର୍ବ ନାଁ ଥିଲା ହରିହରପୁର। ୧୪୦୦ ଖ୍ରୀଷ୍ଟାବ୍ଦରେ ମୟୂରଭଞ୍ଜ ମହାରାଜ ହରିହର ଭଞ୍ଜ ଏଠାରେ ବହିଯାଉଥିବା ବୁଢ଼ାବଳଙ୍ଗ ନଈକୂଳରେ ରାଜଧାନୀ ସହର ପ୍ରତିଷ୍ଠା କରିଥିଲେ । ବର୍ଗୀ ଆକ୍ରମଣ ପୂର୍ବରୁ ଖିଚିଂ ପରେ ହରିହରପୁର ହିଁ ଥିଲା ମୟୁରଭଞ୍ଜ ରାଜ୍ୟର ରାଜଧାନୀ।
ଗଡ଼ ବାହାରେ ରାଧାମୋହନ ମନ୍ଦିର ଓ ଜଗନ୍ନାଥ ମନ୍ଦିର ରହିଛି । ଗଡ଼ ଭିତରେ ରସିକେଶ୍ୱର ମନ୍ଦିର ମଧ୍ୟ ରହିଛି। ଏହା ନିର୍ମିତ ହୋଇଛି ଛୋଟଛୋଟ ଇଟାଖଣ୍ଡରେ । କେବଳ ଇଟାରେ ତିଆରି ଏଇ ମନ୍ଦିର ସ୍ଥାନର ଐତିହ୍ୟ ବଢ଼ାଇ ଦେଇଛି । ଗଡ଼ ଭିତରେ ଖନନ କରାଯିବାପରେ ବାହାରିଛି ଦରବାର ଏବଂ ରାଣୀ ହଂସପୁର ।
ସ୍ଥାନୀୟ ଲୋକକଥା ଅନୁସାରେ ମୟୂରଭଞ୍ଜର ରାଜାମାନେ ତନ୍ତ୍ରବିଦ୍ୟାରେ ପାରଙ୍ଗମ ଥିଲେ । ପରବର୍ତ୍ତୀ ସମୟରେ ବର୍ଗୀମାନେ ରାଜଧାନୀ ହରିହରପୁର ଉପରେ ଆକ୍ରମଣ କରିବାକୁ ଆସିବା ସମୟରେ ତତ୍କାଳୀନ ରାଜା ଘୋଡ଼ାରେ ବସି ରାଜଧାନୀ ଛାଡ଼ିଦେଲେ । ରାଜଧାନୀରେ କବାଟ, ଝରକା, ଫୁଲଗଛ, କଦଳୀଗଛ, ଯାହା ବି କିଛି ଥିଲା ସେସବୁ ଥିଲା ସୁନାରେ । ପଳାୟନ କରିବା ପୂର୍ବରୁ ମହାରାଜା ତନ୍ତ୍ରବଳରେ ସମୁଦାୟ ରାଜବାଟିକୁ ମାଟିତଳେ ପୋତିଦେଲେ । ବର୍ଗୀମାନେ ଆସିଲାବେଳକୁ କିଛି ମଧ୍ୟ ନ ଥିଲା। ଥିଲା କେବଳ ମାଟିକୁଦ।
ହରିହରପୁରରୁ ଯିବା ପରେ ରାଜା ଯେଉଁ ସ୍ଥାନରେ ଲୁଚିଥିଲେ ପରବର୍ତ୍ତୀ ସମୟରେ ସେ ସ୍ଥାନର ନାଁ ହେଲା ‘ରାଜା ଲୋକା’। ‘ଲୁଚିବା’ କୁ ସ୍ଥାନୀୟ ଭାଷାରେ ‘ଲୋକା’ କହନ୍ତି । ତେଣୁ ଯେଉଁ ସ୍ଥାନରେ ରାଜା ଲୁଚିଥିଲେ, ତାହା ‘ରାଜାଲୋକା’। ପରେ ରାଜା ଆସି ବାରିପଦାରେ ରାଜଧାନୀ ପ୍ରତିଷ୍ଠା କରିବା କଥା ତ ସମସ୍ତେ ଜାଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ