ହରିରାଜପୁରର ପଞ୍ଚୁଦୋଳ ମେଳଣ
ସନ୍ତୋଷ କୁମାର ଦାଶ
ଫାଲଗୁନ ମାସରେ ଅନୁଷ୍ଠିତ ହେଉଥିବା ଦୋଳ ଉତ୍ସବ ଆମ ଓଡ଼ିଆ ଘରର ପ୍ରଧାନ ଉତ୍ସବ ଭାବେ ପରିଗଣିତ ହୋଇ ଆସିଛି।ସାଧାରଣତଃ ଫଗୁ ଦଶମୀ ତିଥି ଠାରୁ ପଞ୍ଚୁ ଦୋଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ରେ ଦୋଳ ମେଳଣ ଓ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଠାକୁର ମାନେ ସ୍ୱ ସ୍ୱ ବିମାନ ରେ ଘର ଘର ବୁଲି ଦ୍ୱାରୀ ଭୋଗ ଖାଇବା ଓ ବିଭିନ୍ନ ସ୍ଥାନ ରେ ମେଳଣ ପୁର ଠାରୁ ପଲ୍ଲୀ କୁ ଉତ୍ସବ ମୁଖର କରି ଦେଇଥାଏ। ଜଟଣୀ ନିକଟସ୍ଥ ହରିରାଜପୁର ଗ୍ରାମ ଠାରେ ଅନୁଷ୍ଠିତ ହୋଇଆସୁଥିବା ପଞ୍ଚୁ ଦୋଳ ମେଳଣ ସାରା ରାଜ୍ୟ ର ଏକ ପ୍ରମୁଖ ଯାତ୍ରା ର ମାନ୍ୟତା ପାଇଛି। ଆମ ରାଜ୍ୟ ର ରାଜଧାନୀ ଭୁବନେଶ୍ୱର ରୁ ଖୋର୍ଦ୍ଧା ଆଡ଼କୁ ଯିବା ବାଟରେ ପଡ଼େ ଜଟଣୀ ଛକ। ସେଠାରୁ ପିପିଲି ଆଡ଼କୁ ମାତ୍ର ୬ କିମି ଗଲେ ପଡ଼େ ହରିରାଜପୁର ଗ୍ରାମ । ସେହି ଗାଁ ରେ ପୂଜା ପାଇ ଆସୁଛନ୍ତି ପ୍ରସିଦ୍ଧ ପଶ୍ଚିମାଶମ୍ଭୁ ସୋମନାଥ ଦେବ। ସେହି ସୋମନାଥ ଦେବ ଙ୍କ ମନ୍ଦିର ନିକଟସ୍ଥ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥାଏ ପଞ୍ଚୁ ଦୋଳ ମେଳଣ।ଦୋଳ ପୂର୍ଣ୍ଣିମା ପର ପାଞ୍ଚ ଦିନ ରେ ମେଳଣ ଆରମ୍ଭ ହୋଇ ୩ ଦିନ ଧରି ଉତ୍ସବ ପାଳନ କରା ଯାଇଥାଏ। ଏହି ମନ୍ଦିର ସମ୍ପର୍କ ରେ ଅନେକ କିମ୍ବଦନ୍ତୀ ରହିଛି ଯାହା ଏହି କ୍ଷୁଦ୍ର ପ୍ରବନ୍ଧ ରେ ପ୍ରକାଶ କରିବା ସମ୍ଭବ ନୁହେଁ। ତେବେ ପ୍ରାୟ ଦ୍ଵାଦଶ ଶତାବ୍ଦୀ ରେ ଏହି ମନ୍ଦିର ନିର୍ମାଣ ହୋଇଥିଲା ବୋଲି ଐତିହାସିକ ମାନେ ପ୍ରକାଶ କରିଛନ୍ତି। କୋଣାର୍କ ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀ ମାନଙ୍କ ପରାମର୍ଶ କ୍ରମେ ପୁରୀ ଗଜପତି ଲାଙ୍ଗୁଳା ନରସିଂହ ଦେବ ଏହି ମନ୍ଦିର ନିର୍ମାଣ କରିଥିବା ଲୋକ କଥା ରହିଛି। ଏଠାରେ ପଞ୍ଚୁ ଦୋଳ ମେଳଣ ପାଳନ କରାଯିବା ସମ୍ପର୍କ ରେ ମଧ୍ୟ ଏକ କିମ୍ବଦନ୍ତୀ ଶୁଣିବାକୁ ମିଳେ। ପୁରୀ ଶ୍ରୀ କ୍ଷେତ୍ର ରେ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ଙ୍କ ପଞ୍ଚରାସ ଉତ୍ସବକୁ ହରିରାଜପୁର ଗ୍ରାମ ର ବାବାଜୀ ଗୋବର୍ଦ୍ଧନ ଦାସ ଓ ନିତେଇ ସାହୁ ନାମକ ଦୁଇ ବନ୍ଧୁ ଯାଇ ଗ୍ରାମ କୁ ଫେରୁଥିବା ବେଳେ ସୋମନାଥ ଙ୍କ ମନ୍ଦିର ଠାରେ ବିଶ୍ରାମ ନେଇଥିଲେ । ସେଇଠାରେ ଦୁଇ ବନ୍ଧୁ ପ୍ରଭୁ ସୋମନାଥ ଦେବ ଙ୍କ ନିକଟରେ ଏକ ପଞ୍ଚ ଦୋଳ ମେଳଣ କରିବାକୁ ନିଷ୍ପତ୍ତି ନେଇ ୧୬୩୬ ଖ୍ରୀଷ୍ଟାବ୍ଦ ର ଚୈତ୍ର ମାସ କୃଷ୍ଣ ପକ୍ଷର ପଞ୍ଚମୀ ତିଥି ରେ ମେଳଣ ଆରମ୍ଭ କରିଥିଲେ। ଏଥିପାଇଁ ଗ୍ରାମବାସୀ ମାନଙ୍କ ପକ୍ଷରୁ ମୁଠି ଚାଉଳ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚାଉଳ ବିକ୍ରୀ ରୁ ମିଳିଥିବା ଅର୍ଥ ରେ ମେଳଣ ଖର୍ଚ୍ଚ ଭରଣ ହୋଇଥିଲା। ଏହି ମେଳଣ ଉତ୍ସବ ରେ ଯୋଗଦେବାକୁ ନିକଟସ୍ଥ ଉଅଁସ ଗ୍ରାମର ପ୍ରଭୁ ନୀଳକଣ୍ଠେଶ୍ଵର , କନ୍ତିଆର ଶ୍ରୀ ବାଲୁଙ୍କେଶ୍ୱର, କୁସୁମାଟି ଗ୍ରାମର ଗତିଶ୍ଵର ଶମ୍ଭୁ ଙ୍କୁ ନିମନ୍ତ୍ରଣ କରା ଯାଇଥିଲା। ଥାନପତି ଭାବେ ଶ୍ରୀ ସୋମନାଥ ଦେବ ମାନ୍ୟତା ପାଇଲେ । ଧୀରେ ଧୀରେ ଏହି ପଞ୍ଚୁ ଦୋଳ ମେଳଣ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଲା ।ଏବେ ପ୍ରାୟ ୮୦ ଟି ଗ୍ରାମ ରୁ ହରି ହର ଠାକୁର ଙ୍କ ଚଳନ୍ତି ପ୍ରତିମା ଙ୍କୁ ଏହି ମେଳଣ କୁ ନିମନ୍ତ୍ରଣ କରାଯାଉଛି । ଏହି ପଞ୍ଚୁ ଦୋଳ ମେଳଣ ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଚେଷ୍ଠା ଜାରି ରଖିଛନ୍ତି ।ପଞ୍ଚମୀ ତିଥି ରାତ୍ର କୁ ଜମାଣ ରାତ୍ର କୁହାଯାଏ। ଏହି ଦିନ ନିମନ୍ତ୍ରିତ ଠାକୁର ମାନେ ସ୍ୱ ସ୍ୱ ବିମାନ ରେ ଆସି ସେମାନଙ୍କ ପାଇଁ ନିର୍ମାଣ ହୋଇଥିବା ବଇଠା (୪ଟି ପଥର ଖୁଣ୍ଟ ଦ୍ଵାରା ନିର୍ମିତ ଆସନ) ରେ ଉପବେଶନ କରିଥାନ୍ତି। ଦ୍ଵିତୀୟ ଦିବସ ରେ ମେଳଣ ଅନୁଷ୍ଠିତ ହୁଏ । ଜମାଣ ରାତ୍ର ରେ ଥାନପତି ପଶ୍ଚିମା ଶମ୍ଭୁ ସୋମନାଥ ଦେବ ମନ୍ଦିର ର ପଶ୍ଚିମ ଦ୍ଵାର ଦେଇ ବାହାରକୁ ବାହାରିବା ପରେ ବାଟ ଅଗଣାରେ ତାଙ୍କୁ କୋଠଭୋଗ ଲାଗି କରାଯାଏ। ଭୋଗ ଲାଗି ପରେ ଏକ ବିରାଟ ଶୋଭାଯାତ୍ରା ରେ ଠାକୁର ମେଳଣ ପଡ଼ିଆ କୁ ପ୍ରବେଶ କରିଥାନ୍ତି। ବାଟରେ ଶ୍ରୀ ସୋମନାଥ ଦେବ ଙ୍କ ସହିତ ଶ୍ରୀ ଗୋପାଳଜୀ ଓ ଶ୍ରୀ ବାଳମୁକୁନ୍ଦ ସାମିଲ ହୋଇଥାନ୍ତି। ତ୍ରି ଠାକୁର ଙ୍କ ଶୋଭାଯାତ୍ରା ସମୟ ରେ ଆତସବାଜି ପ୍ରଦର୍ଶନ ହୋଇ ଥାଏ । ଏଥି ସହିତ ବିଭିନ୍ନ ବାଦ୍ୟ, ରୋଷଣୀ, ଘଣ୍ଟ, ଭେରୀ,ତୂରୀ, ଛତ୍ର,ଆଲଟ ଚାମର ସହ ନାଗା ନାଚ, ରାଜା ରାଣୀ ନାଚ, ବୁଢ଼ା ବୁଢ଼ୀ ନାଚ,ସଖୀ କଣ୍ଢେଇ ନାଚ, ଘୋଡ଼ା ନାଚ ବାଘ ନାଚ ପ୍ରଭୃତି ଲୋକ ନୃତ୍ୟ ପ୍ରଦର୍ଶନ କରାଯାଇଥାଏ। ସବୁଠାରୁ ଆକର୍ଷଣୀୟ ହୁଏ ଆତସବାଜି ପ୍ରଦର୍ଶନ । ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ପ୍ରସିଦ୍ଧ ବାଣ କାରିଗର ମାନେ ନିଜ ନିଜ ଭିତରେ ପ୍ରତିଯୋଗିତା କରି ନିଜ ଦ୍ଵାରା ପ୍ରସ୍ତୁତ ବାଣ ଫୁଟାଇ ସ୍ୱ ସ୍ୱ କୃତିତ୍ବ କୁ ପ୍ରଦର୍ଶନ କରିଥାନ୍ତି।ଏଠାରେ ଥିବା ମାଇଲ ମାଇଲ ଟାଙ୍ଗରା ଭୂଇଁ ବାଣ ଶଦ୍ଦ ରେ ପ୍ରକମ୍ପିତ ହୋଇଉଠେ। ଏହି ମେଳଣ ରେ ଯୋଗ ଦେଇଥିବା ଠାକୁର ମାନଙ୍କୁ ଫଗୁ ପ୍ରଦାନ କରି ଭକ୍ତ ମାନେ କୃପା ଭିକ୍ଷା କରିଥାନ୍ତି।ଏହି ଅବସର ରେ ଏଠାରେ ମେଳା ଲାଗିଥାଏ। କୁଲା, ଛାଞ୍ଚୁଣି ଠାରୁ ଆରମ୍ଭ କରି ଘର ର ଆବଶ୍ୟକୀୟ ସାମଗ୍ରୀ, ଚଟପଟି ଖାଦ୍ୟ, ହସ୍ତଶିଳ୍ପ ସାମଗ୍ରୀ ଠାରୁ ସୌଖିନ ସାମଗ୍ରୀ ସବୁ ମେଳା ରେ ବିକ୍ରୀ ହେଉଥାଏ।ଶେଷ ଦିନ ଠାକୁର ଙ୍କ ମଧ୍ୟରେ ଓ ସେବକ ମାନଙ୍କ ମଧ୍ୟରେ ଫଗୁ ଖେଳ ଅନୁଷ୍ଠିତ ହୋଇଥାଏ। ଯାହା ଭାଇଚାରା ର ଏକ ଅପୂର୍ବ ନିଦର୍ଶନ ଭାବେ ରହି ଆସିଛି କାହିଁ କେତେ କାଳରୁ। ପଞ୍ଚୁ ଦୋଳ ମେଳଣ ପାଇଁ ହରିରାଜପୁର ପ୍ରସିଦ୍ଧି ଲାଭ କରିଆସିଛି ।
ତୁଳସୀପୁର। ପୁରୀ।୯
୪୩୮୩୬୧୮୮୮।