ହରିଶ୍ଚନ୍ଦ୍ର ଯୋଜନାରେ ମିଳୁନି ଆର୍ଥିକ ସହାୟତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର ସାଧାରଣ ଗରିବ ଲୋକଙ୍କ ମୃତ୍ୟୁ ପରେ ଅନ୍ତିମ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତକ ପରିବାରକୁ ୨ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମାତ୍ର ଏହି ସହାୟତା ରାଶି ମୃତ୍ୟୁବରଣ କରିବାର ୧ ବର୍ଷ ବିତିଗଲା ପରେ ମଧ୍ୟ ଲୋକେ ପାଉନଥିବା ଅଭିଯୋଗ ହେଉଛି । ଏପରି ଅଭିଯୋଗ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଛି । ସାଧାରଣ ଗରିବ ଲୋକଟିଏ ମୃତ୍ୟୁବରଣ କରିବା ପରେ ପୂର୍ବରୁ ପଞ୍ଚାୟତ ମାଧ୍ୟମରେ ସଂଗେ ସଂଗେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା । ଏବେ ମୃତ୍ୟୁବରଣ କରିବା ପରେ ମୃତକ ପରିବାର ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ଅନ୍ତିମ ସତ୍କାର କରିବାର ଦେଖାଯାଉଛି । ପରେ ମୃତକର ପରିବାରଲୋକେ ଆର୍ଥିକ ସହାୟତା ପାଇବା ପାଇଁ ପଞ୍ଚାୟତରେ ଆବେଦନ କରୁଛନ୍ତି । ମାତ୍ର ଏହି ଅର୍ଥ ୧ ବର୍ଷ ବିତି ଗଲା ପରେ ମଧ୍ୟ ସାଧାରଣ ଗରିବ ମୃତକ ପରିବାରକୁ ମିଳୁନଥିବା ଅଭିଯୋଗ ହୋଇଛି । ଏପରି ଅବ୍ୟବସ୍ଥା ସମଗ୍ର ବ୍ଲକରେ ଦେଖିବାକୁ ମିଳୁଛି । ସହାୟତା ରାଶି ପାଇବା ପାଇଁ ଲୋକେ ବାରମ୍ବାର ପଞ୍ଚାୟତକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।