ହର୍ଷା ଟ୍ରଷ୍ଟ ଦ୍ଵାରା ରାସାୟନିକ ପରିବର୍ତ୍ତେ ଜୈବିକ ସାର ସାଧନ କେନ୍ଦ୍ର ଉଦଘାଟିତ
ବୋଡ଼େନ, (ଯୁଗାବ୍ଦ ନ୍ୟୁଜ):ମଣିଷ ସମାଜ ରୋଗ ମୁକ୍ତ ହେବାର ଉଦ୍ଦେଶ୍ୟ ନେଇ ହର୍ଷା ଟ୍ରଷ୍ଟ ପକ୍ଷରୁ ଚାଷ ପାଇଁ ଜୈବିକ ସାରର ପ୍ରସ୍ତୁତି ଓ ବ୍ୟବହାର ନିମିତ୍ତ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବୁଢ଼ାପଡା ସ୍ଥିତ ମାହେଶ୍ୱରୀ ଆଦିବାସୀ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ଆଜି ଏକ ଜୈବିକ ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ଉଦଘାଟନୀ ସଭାରେ ଗୋଷ୍ଠୀ କୃଷି ଅଧିକାରୀ ଦୁଃଖୀ ଶ୍ୟାମ ଟୁଡୁ ମୁଖ୍ୟ ଅତିଥି,ସି ଡି ପି ଓ ଅର୍ଚ୍ଚନା ରାଉତ ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ରୂପେ ମିଶନ ଶକ୍ତିର ବି ପି ସି ବିଜୟ କୁମାର ଭିତ୍ରୀଆ,ଅତିରିକ୍ତ ଗୋଷ୍ଠୀ କୃଷି ଅଧିକାରୀ ସରୋଜ ମିର୍ଦ୍ଧା,ମାହେଶ୍ୱରୀ ଆଦିବାସୀ ସ୍ଵୟଂ ସହାୟିକା ସଭାନେତ୍ରୀ ଦଶ ମତି ମାଝୀ, ହର୍ଷା ଟ୍ରଷ୍ଟ ବ୍ଲକ ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ଖମାରୀ,ଏଲ ଏସ ପି ଡମ୍ବରୁଧର ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ ।ସମସ୍ତ ଅଧିକାରୀ ରାସାୟନିକ ସାର ଓ ଜୈବିକ ସାରର ବ୍ୟବହାରର ଉପକାରିତା ଓ ଅପକାରିତା ଉପରେ ଆଲୋକପାତ କରି ଜୈବିକ ସାର ର ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ ।ରାସାୟନିକ ସାର ମଣିଷ ସମାଜ ପ୍ରତି ବିପଦ ଅଟେ ତାହା ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଇଙ୍ଗିତ କରୁଥିଲେ । ହର୍ଷା ଟ୍ରଷ୍ଟ ଦ୍ଵାରା ତିଆରି ପରୀକ୍ଷିତ ଜୈବିକ ସାର ଗୁଡ଼ିକ ଯଥାକ୍ରମେ ପ୍ରାଣୀମୃତ,ଜୀବାମୃତ,ହାଣ୍ଡି ଖତ, ବିଜାମୃତ,ଆଗ୍ନେୟାସ୍ତ୍ର,ନିମାସ୍ତ୍ର,ମହୁଲାସ୍ତ୍ର ଓ ବ୍ରହ୍ମାସ୍ତ୍ର। କୁକୁଡ଼ା ଖତ,ସୋରିଷ ପିଡ଼ିଆ,ପାଉଁଶ ଓ ପାଣିର ସମିଶ୍ରଣରେ ପ୍ରାଣୀ ମୃତ ସାର ତିଆରି ,ଏହି ସାର ବ୍ୟବହାର କରିବା ଦ୍ଵାରା ଗଛକୁ ପଟାସ, ଯବକ୍ଷାରଜାନ ଓ ଫସଫରସ ମିଳିଥାଏ ଏବଂ ମାଟିକୁ ଉର୍ବର କରେ । ସଜ ଗାଈ ଗୋବର ଓ ମୂତ୍ର,ଦେଶୀ ଗୁଡ଼,ବେସନ, ଉଈ ହୁଙ୍କାର ମାଟି ଏବଂ ପାଣିର ମିଶ୍ରଣ କରି ଜିବାମୃତ ସାର ତିଆରି କରାଯାଏ ,ଏହା ବ୍ୟବହାର ଫଳରେ ଜମିର ଉର୍ବରତା ଉତ୍ପାଦନ ଅଧିକ ହୁଏ ।ମାଟି ହାଣ୍ଡି,ସଜ ଗାଈ ମୂତ୍ର ଓ ଗୋବର,ନିମ୍ବ ପତ୍ର ବା କରଞ୍ଜ ପତ୍ର, ବଣ ତୁଳସୀ ପତ୍ର,ଅରଖ ବା ଅମରି ପତ୍ର ଏବଂ ଗୁଡ଼ ର ସଠିକ୍ ପରିମାଣର ମିଶ୍ରଣ କରି ହାଣ୍ଡି ଖତ ତିଆରି କରାଯାଏ ।ଏହି ଖତ ଗଛକୁ ରୋଗ ପୋକ ଦାଉରୁ ରକ୍ଷା କରେ ।ଦେଶୀ ଗାଈ ପରିସ୍ରା ଓ ଗୋବର,ଧଳା ଚୂନ,ବଡ଼ ଗଛ ତଳର ମାଟି ଓ ପାଣି ଠିକ୍ ପରିମାଣର ମିଶ୍ରଣ କରି ବିଜା ମୃତ ସାର ତିଆରି କରାଯାଏ,ଏହି ସାର ବ୍ୟବହାର ଦ୍ଵାରା ବିହନ ସବୁ ରୋଗରୁ ସୁରକ୍ଷା ମିଳିଥାଏ ଏବଂ ବିହନର ବଞ୍ଚିବାର କ୍ଷମତା ବୃଦ୍ଧି ହୋଇଥାଏ।ଗୋ ମୂତ୍ର ଧୁଆଁ ପତ୍ର ,କଞ୍ଚା ଲଙ୍କା,ରସୁଣ ଓ ନିମ୍ନ ପତ୍ରର ମିଶ୍ରଣ କରି ଆଗ୍ନେୟାସ୍ତ୍ର ସାର ପ୍ରସ୍ତୁତ କରାଯାଏ ।ଏହି ସାର ପନିପରିବା ଚାଷରେ ସିଞ୍ଚନ କଲେ ବିଶେଷ କରି କାଣ୍ଡବିନ୍ଧା,ଫଳ ବିନ୍ଧା,କୀଟ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।କଞ୍ଚା ନିମ୍ବ ପତ୍ର,ଗାଈ ମୂତ୍ର ଓ ଗୋବର ଏବଂ ପାଣି ଉଚିତ୍ ପରିମାଣର ବ୍ୟବହାର କରି ନୀମାସ୍ତ୍ର ସାର ପ୍ରସ୍ତୁତ କରାଯାଏ ।ଏହା ବ୍ୟବହାର ଦ୍ଵାରା ଶୋଷକ ପୋକ, ଦହିଆ ପୋକ, ଉକୁଣିଆ ପୋକ,ଧଳା ମାଛି,କାଣ୍ଡ ବିନ୍ଧା ପୋକ ସହ ଅନ୍ୟାନ୍ୟ ପୋକ ନିୟନ୍ତ୍ରଣ ସହଜରେ କରାଯାଇ ପାରିବ । ଗୋ ମୂତ୍ର,ନିମ୍ବ ପତ୍ର,କରଞ୍ଜ ପତ୍ର, ଆତ ପତ୍ର,ପିଜୁଳି ପତ୍ର, ଜଡ଼ା ପତ୍ର,ଅମୃତ ଭଣ୍ଡା ପତ୍ର ଓ ଧୂତୁରା ପତ୍ର କୁ ବ୍ୟବହାର କରି ବ୍ରହ୍ମାସ୍ତ୍ର ସାର ପ୍ରସ୍ତୁତ କରାଯାଏ ।ଏହି ସାର ଶୋଷକ କୀଟ,ଛୁଇଁ,ଫଳ ବିନ୍ଧା ପୋକ ଦମନ କରେ ।ଉପରୋକ୍ତ ଜୈବିକ ସାର ଗୁଡ଼ିକ ମାହେଶ୍ୱରୀ ଆଦିବାସୀ ସ୍ଵୟଂ ସହାୟିକା ଗୋଷ୍ଠୀ ବୁଢ଼ା ପଡା ସାଧନ କେନ୍ଦ୍ରରେ ଉପଲବ୍ଧ ।୨୦୦୧ ମସିହାରେ ଗଢି ଉଠିଥିବା ଏହି ସ୍ଵୟଂ ସହାୟିକା ଗୋଷ୍ଠୀ ପାଖରେ ଅଛି ଡାଲି ମିଲ, ଅଟା ମିଲ,ମାଣ୍ଡିଆ ଥ୍ରେଶର, ଟେଣ୍ଟ ହାଉସ ।ଏମାନେ ବିଦ୍ୟାଳୟର ଏମ ଡି ଏମ ମଧ୍ୟ ପରିଚାଳନା କରନ୍ତି ଆଉ ବର୍ତ୍ତମାନ ପଳସଦା ଧାନ ମଣ୍ଡି ମଧ୍ୟ ପରିଚାଳନା କରୁଛନ୍ତି ।ବିଭିନ୍ନ ସମୟରେ ବଡ଼ ବଡ଼ ସରକାରୀ ଅଧିକାରୀ ତଥା ଅନେକ ସଂଗଠନର ଅଧିକାରୀ ଏହି ଗୋଷ୍ଠୀ ପାଖକୁ ପରିଦର୍ଶନରେ ଆସିବା ଦେଖିବାକୁ ମିଳିଥାଏ ।ଶରୀରକୁ,ସମାଜକୁ ତଥା ପରିବେଶକୁ ସୁସ୍ଥ ରଖିବାକୁ ଜୈବିକ ସାରର ବ୍ୟବହାର କରିବା ପାଇଁ ଅତିଥି ଗଣ ଉପସ୍ଥିତ ସମସ୍ତ ମହିଳାମାନଙ୍କୁ ଜଣାଇଥିଲେ ।