ହଲିଉଡ଼ରେ ଡେବ୍ୟୁ କରିବେ ହିନା, ଶେଆର୍ କଲେ ଫିଲ୍ମର ଫାଷ୍ଟ୍ ଲୁକ୍
ମୁମ୍ବାଇ , (ଯୁଗାବ୍ଦ ନ୍ୟୁଜ): ଟେଲି ଦୁନିଆର ଅନ୍ୟତମ ଷ୍ଟାଇଲିଶ୍ ଅଭିନେତ୍ରୀ ହିନା ଖାନ୍ ନିଜ ବଲିଉଡ୍ ଡେବ୍ୟୁକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ଆସିଛି । ସେ ହଲିଉଡ଼ରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଖୁବ୍ଶୀଘ୍ର ଦର୍ଶକମାନେ ତାଙ୍କୁ ଇଣ୍ଡା-ହଲିଉଡ୍ ଫିଲ୍ମ “ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ରେ ଦେଖିବାକୁ ପାଇବେ । ସେ ଏହି ଫିଲ୍ମର ଫାଷ୍ଟ୍ ଲୁକ୍କୁ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି ।
ହିନା ତାଙ୍କ ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଫିଲ୍ମର ଫାଷ୍ଟ୍ ଲୁକ୍ ଶେଆର୍ କରି ଲେଖିଛନ୍ତି, ଭେଟନ୍ତୁ “ଗୋଶା’କୁ । ମୋର ପ୍ରଥମ ଇଣ୍ଡା-ହଲିଉଡ୍ ପ୍ରୋଜେକ୍ଟ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାହତ କାଜ୍ମି ।
ଏହି ଫଟାରେ ହିନାଙ୍କୁ ଜଣେ ଆଦିବାସୀ ଝିଅ ବେଶରେ ଦେଖିବାକୁ ମିଳିଛି । ସେ ପଶୁଙ୍କ ଚମଡ଼ା ଓ ପରରେ ତିଆରି ଡ୍ରେସ୍ ପିନ୍ଧିଛନ୍ତି ଏବଂ ହାତରେ ଧନୁତୀର ଧରିଛନ୍ତି । ନିଜ ଲୁକ୍କୁ ବିଦେଶୀ ସ୍ପର୍ଶ ଦେବା ପାଇଁ ସେ ଆଖିରେ ସବୁଜ ରଙ୍ଗର ଲେନ୍ସ ପିନ୍ଧିଛନ୍ତି ।
ସୂଚନା ଅନୁଯାୟୀ, ଫିଲ୍ମ “ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ରେ ହିନା “ଗୋଶା’ ନାମକ ଜଣେ ଦିବ୍ୟାଙ୍ଗ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଚରିତ୍ରକୁ ଭଲ ଭାବେ ବୁଝିବା ପାଇଁ ହିନା ଦିବ୍ୟାଙ୍ଗ ସ୍କୁଲର ଟ୍ରେନିଂ ମଧ୍ୟ ନେଇଛନ୍ତି । ଏହି ଫିଲ୍ମଟି “ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ ପୁସ୍ତକ ଉପରେ ଆଧାରିତ । ଏହାର ଶୁଟିଂ ଶେଷ ହାଇଯାଇଛି । ଫିଲ୍ମଟି ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ରିଲିଜ୍ ହେବ ।
ସୂଚନାଯୋଗ୍ୟ, ହିନା ଖାନ୍ ଏବେ ବଲିଉଡ୍ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମ “ହ୍ୟାକ୍ଡ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ଏକ ଫ୍ୟାଶନ୍ ପତ୍ରିକାର ସଂପାଦକ ଭୂମିକାରେ ଅଭିନୟ କରିଛନ୍ତି ।