ହଳଦୀ ପତ୍ର ପିଠା ବାସ୍ନା ରେ ମହକିଲା ଘର ଦୁଆର
ନିମାପଡା, (ସନ୍ତୋଷ ଦାଶ):ଆଜି ଥିଲା ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି । ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ଘରେ ଘରେ ପାଳିତ ହୋଇଥିଲା ପ୍ରଥମାଷ୍ଠମୀ ବା ପୋଢୁଆଁଷ୍ଠମୀ। ପରିବାର ର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଇଥିଲା। ପୋଢୁଆଁ ହୋଇଥିବା ପିଲା ଠାରୁ ବୟସ୍କ ସମସ୍ତେ ନବ ବସ୍ତ୍ର ପିନ୍ଧି ସାରି ନିଜ ପରିବାର , ଗାଁ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କୁ ପ୍ରଣାମ ଜଣାଇ ଆଶ୍ରିବାଦ ନେଇଥିଲେ ଓ ବିଭିନ୍ନ ମନ୍ଦିର କୁ ଯାଇ ଦେବଦେବୀ ଙ୍କୁ ଦର୍ଶନ କରିଥିଲେ। ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ ।ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା, ଭାଣିଜୀ ଙ୍କ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ I ଏହିବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ ।ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ I କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ପ୍ରସିଦ୍ଧ । ଆଜି ଘରେ ଘରେ ହଳଦୀ ପତ୍ର ଗୁଡ଼ାଇ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଇଥିଲା। ପିଠା କୁ ଘର ଠାକୁର, ଗ୍ରାମ ଦେବତୀ ଙ୍କ ପାଖରେ ଭୋଗ ଲାଗି କରିବାପରେ ପରିବାର ର ସମସ୍ତେ ପିଠା ଖାଇଥିଲେ। ହଳଦୀ ପତ୍ର ବାସ୍ନା ରେ ମହକି ଉଠିଥିଲା ଘର ଠାରୁ ଦାଣ୍ଡ। ପ୍ରଥମାଷ୍ଟମୀ ପାଈଁ ଗାଁ ଠୁ ସହର ଉତ୍ସବ ମୁଖର ହୋଇପଡ଼ିଥିଲା