ହଷ୍ଟେଲ୍‌ରେ ରଖନ୍ତୁ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ

ନୂଆ ଏକ ସହରକୁ ଯାଇ ପାଠ ପଢ଼ିବା କିମ୍ବା ଚାକିରି ପାଇଁ କୋଉଠି ନା କୋଉଠି ହଷ୍ଟେଲରେ କିମ୍ବା ପେଇଂ ଗେଷ୍ଟ୍ ଭାବେ ରହିବାକୁ ପଡ଼ିଥାଏ । ଏହି ଧାରାରେ ଅନେକ ଅଜଣା ଲୋକଙ୍କ ସହ ଆପଣଙ୍କୁ ରହିବାକୁ ପଡ଼ିପାରେ । ତେଣୁ ତାଙ୍କ ସହ ମିଳିମିଶି ଚଳିବାକୁ ହୁଏ । ହଷ୍ଟେଲ୍‌ରେ ରହିବା ସମୟରେ ବେଳେବେଳେ ରୁମ୍‌ମେଟ୍‌ଙ୍କ ସହ ରହିବା କଷ୍ଟକର ହୋଇପଡ଼େ । ଏଥିପାଇଁ ଯେଉଁ ରୁମ୍‌ମେଟ୍‌ଙ୍କ ସହ ରହିବାକୁ ପଡୁଥାଏ ତାଙ୍କ ବିଷୟରେ ପୂର୍ବରୁ ଜାଣିବାକୁ ଚେଷ୍ଟା କରିବା ବୁଦ୍ଧିମାନର କାମ ।
ନୂଆ ହଷ୍ଟେଲ ବା ପିଜି (ପେଇଂ ଗେଷ୍ଟ୍‌)ରେ ରହିବାକୁ ଯାଉଥିଲେ କିଛି ଜିନିଷ ବିଷୟରେ ଜାଣିବା ଆବଶ୍ୟକ । ଯେପରିକି ଯେଉଁ କୋଠରୀରେ ରହିବେ ସେଠି କେତେ ଲୋକ ରହୁଛନ୍ତି, କିଏ କେଉଁ କାମ କରୁଛି, ଯିବା- ଆସିବା ସମୟ କଣ, ଖାଇବା-ପିଇବା ବ୍ୟବସ୍ଥା କିପରି ରହିଛି ଇତ୍ୟାଦି ବିଷୟରେ ତଦାରଖ କରିବା ଜରୁରୀ । ଏହି ପ୍ରଶ୍ନ ସାଧାରଣ ଲାଗୁଥିଲେ ବି ପୂର୍ବରୁ ଜାଣି ନେଇଥିଲେ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି ହେବନାହିଁ ।
ରୁମ୍‌ରେ ଏକାଠି ରହିବାବେଳେ ରୁମ୍‌ମେଟ୍ ସହ ଆଉ ବି କିଛି ଜିନିଷ ଭାଗ କରିବାକୁ ପଡ଼ିଥାଏ । ଏଥିପାଇଁ ପରସ୍ପରର ଆବଶ୍ୟକତା ଏବଂ ପସନ୍ଦ-ନାପସନ୍ଦକୁ ମଧ୍ୟ ଗୁରୁତ୍ୱ ଦେବା ଅବଶ୍ୟାମ୍ଭବୀ । ଯିଏ ବି ଆପଣଙ୍କ ରୁମ୍‌ମେଟ୍ ହେବେ ତାଙ୍କୁ ଆରମ୍ଭରୁ ନିଜର ରୁଚି-ଅରୁଚି ବିଷୟରେ କିଛି କହିଦିଅନ୍ତୁ । ଏପରି ହୋଇପାରେ ଯେ, ଆପଣଙ୍କୁ ପଢ଼ା ସମୟରେ ସଙ୍ଗୀତ ପସନ୍ଦ, କିନ୍ତୁ ସାମ୍ନାବାଲା ବି ପସନ୍ଦ କରୁଥିବା ଦରକାର । ଆପଣ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହନ୍ତି ମାତ୍ର ଆପଣଙ୍କ ରୁମ୍‌ମେଟ୍ ଶୀଘ୍ର ଶୋଇବାକୁ ପସନ୍ଦ କରନ୍ତି । ଏଭଳି କିଛି କଥା ଯାହା ଆରମ୍ଭରୁ ପରସ୍ପର ଭିତରେ ଆପୋଷ ସମାଧାନ ହୋଇଯିବା ଉଚିତ୍ । ନଚେତ୍ ପରବର୍ତ୍ତୀ ସମୟରେ ଏହି ଛୋଟ ଛୋଟ କଥାରୁ ହିଁ ଝଗଡ଼ା ଆରମ୍ଭ ହୋଇଯାଏ । ତେଣୁ ଏପରି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସମାଧାନର ବାଟ ବାହାର କରିଦେବା ଉଚିତ୍ ।
ଖାଇବା ତିଆରି କରିବା, ଜିନିଷ ପତ୍ର କିଣିବା, ଲାଇଟ୍ ବନ୍ଦ କରିବା ଆଦି ଛୋଟ ବଡ଼ ଜିନିଷକୁ ନେଇ ରୁମ୍‌ମେଟ୍ ସହ ଅଧିକାଂଶ ଝଗଡ଼ା କରିଥାଆନ୍ତି, ଯେଉଁ କାରଣରୁ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ବିଗିଡ଼ିଯାଏ । ଯଦି ଆପଣ ଫ୍ଲାଟ୍ ନେଇ ରହିବାକୁ ପସନ୍ଦ କରୁଥାଆନ୍ତି ଏବଂ ନିଜେ ରୋଷେଇ କରି ଖାଇବାକୁ ଚାହୁଁଥାଆନ୍ତି ତେବେ ଏକାଠି ମିଶି ଏ କାମ କରିହେବ । ଏଥିପାଇଁ ମାସିକିଆ ସଉଦାପତ୍ର କରିଦେଲେ ବାରମ୍ବାର ବଜାର ଯିବା କିମ୍ବା ଟଙ୍କା ଅଧିକ ଖର୍ଚ୍ଚ ହେବାର ଆଶଙ୍କା
ରହିବନି । ସମସ୍ତେ ମିଶି ରୋଷେଇ କରିଦେଲେ କାମ ସୁରୁଖୁରୁରେ ସରିଯାଏ । ଯେକୌଣସି କାମ ବାଣ୍ଟିଲେ ଜଲ୍‌ଦି ଓ ସହଜରେ ହୋଇଯାଏ ।
ରୁମ୍‌ମେଟ୍‌ଙ୍କ ସହ ଏକ ସମସ୍ୟା ଦେଖାଦିଏ ଯେ, ପରସ୍ପରର ଜିନିଷ ବ୍ୟବହାର କରିବାକୁ ପଡ଼େ । ତାହା ଖାଇବା ଜିନିଷ ହେଉ ବା କପଡ଼ା କିମ୍ବା ଅନ୍ୟାନ୍ୟ କିଛି ଜିନିଷ । ଏକାଠି ରହିବା ଦ୍ୱାରା ପରସ୍ପରର ଜିନିଷ ପ୍ରତି ଅଧିକାର ସାବ୍ୟସ୍ତ କରିବାର ଗୁଣ କେତେକଙ୍କ ଠାରେ ଦେଖିବାକୁ ମିଳେ । ଯଦି ଆପଣଙ୍କୁ ପସନ୍ଦ ନୁହେଁ କେହି ଆପଣଙ୍କ ଡ୍ରେସ୍ ପିନ୍ଧୁ କିମ୍ବା ଅନ୍ୟ କିଛି ବ୍ୟବହାର କରୁ ତେବେ ରୁମ୍‌ମେଟ୍‌ଙ୍କୁ ଏକଥା ଜଣେଇଦେବା ଉଚିତ୍ । ଯଦି ଆପଣ ମଧ୍ୟ ଅନ୍ୟମାନଙ୍କ ଜିନିଷ ବ୍ୟବହାର କରୁଛନ୍ତି ତେବେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ କିମ୍ବା ସାଙ୍ଗଙ୍କ ଅନୁମତି ନେବାକୁ ଭୁଲନ୍ତୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ