ହଷ୍ଟେଲ ଛାଡ଼ିବାକୁ ନେଇ ତାତିଲେ ବାଣୀବିହାର ଛାତ୍ରଛାତ୍ରୀ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବାଣିବିହାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ହଷ୍ଟେଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବାଣିବିହାରର ଶତାଧିକ ଛାତ୍ରଛାତ୍ରୀ । ବାଣୀବିହାର ମୁଖ୍ୟ ଫାଟକରେ ତାଲା ପକାଇ ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ହେଲେ କୌଣସି ପରିସ୍ଥିତିରେ ହଷ୍ଟେଲ ଛାଡ଼ିବାକୁ ରାଜି ହେଉ ନାହାନ୍ତି ଛାତ୍ରଛାତ୍ରୀ। ସରକାରଙ୍କ ବିରୋଧରେ ନାରାବାଜି ଦେଇ ପିଲାମାନେ କହିଛନ୍ତି, ” ପିପିଲି, ଡେଲାଙ୍ଗରେ ଉପନିର୍ବାଚନ ବେଳେ ରାଲି ହୋଇପାରୁଛି। ସେଠାରେ କରୋନା କଟକଣା ଲାଗୁ କରାଯାଉନି। ମଦ ଦୋକାନ, ମାଛ ହାଟ, ପରିବା ଦୋକାନ ଖୋଲୁଛି, ବସ୍‌ରେ ଭର୍ତ୍ତି ହୋଇ ଲୋକ ଯାଉଛନ୍ତି, ନିର୍ବାଚନ ସମୟରେ ୨୦ ହଜାର ମିଶି ସମାବେଶ କରିପାରୁଛନ୍ତି ।” ହେଲେ ଶିକ୍ଷାନୁଷ୍ଠାନକୁ କରୋନା ନାଁରେ ବନ୍ଦ କରାଯାଉଛି। ଶିକ୍ଷାନୁଷ୍ଠାନ କ’ଣ ପାଇଁ ବନ୍ଦ ହେଉଛି। ଶିକ୍ଷା ଆଗ ନା ନିର୍ବାଚନ ଆଗ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ