ହଷ୍ଟେଲ ବନ୍ଦ ହେବନି : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,(ୱାଇଏନ୍‌ଏସ୍‌): ଛାତ୍ରଛାତ୍ରୀଙ୍କ ଧାରଣା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ନିଷ୍ପତିରୁ ଓହରିଛନ୍ତି ସରକାର । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବର୍ତମାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲଗୁଡିକ ଖୋଲା ରହିବ । ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ଦିଆଯିବ । ତେବେ କରୋନାର ସ୍ଥିତିକୁ ଦେଖି ଆଗାମୀ ଦିନରେ ନିଷ୍ପତି ନିଆଯିବ । ସୂଚନା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନରେ ହଷ୍ଟେଲ ବନ୍ଦ ନିଷ୍ପତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ବାଣୀବିହାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ । ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡିବାକୁ କୁହାଯାଇଥିଲା । ମାତ୍ର ହଷ୍ଟେଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ କରି ବାଣୀବିହାରର ଶତାଧିକ ଛାତ୍ରଛାତ୍ରୀ ବାଣୀବିହାର ମୁଖ୍ୟ ଫାଟକରେ ତାଲା ପକାଇ ଜାତୀୟ ରାଜପଥ ଅବରୋଧ କରି ନାରାବାଜି କରିଥିଲେ ।ସରକାରଙ୍କ ବିରୋଧରେ ନାରାବାଜି ଦେଇ ପିଲାମାନେ କହିଥିଲେ ଯେ ପିପିଲି, ଡେଲାଙ୍ଗରେ ଉପନିର୍ବାଚନ ବେଳେ ରାଲି ହୋଇପାରୁଛି । ସେଠାରେ କରୋନା କଟକଣା ଲାଗୁ କରାଯାଉନି । ମଦ ଦୋକାନ, ମାଛ ହାଟ, ପରିବା ଦୋକାନ ଖୋଲୁଛି, ବସ୍ ରେ ଭର୍ତି ହୋଇ ଲୋକ ଯାଉଛନ୍ତି, ନିର୍ବାଚନ ସମୟରେ ୨୦ ହଜାର ମିଶି ସମାବେଶ କରିପାରୁଛନ୍ତି ।ହେଲେ ଶିକ୍ଷାନୁଷ୍ଠାନକୁ କରୋନା ନାଁରେ ବନ୍ଦ କରାଯାଉଛି । ଶିକ୍ଷାନୁଷ୍ଠାନ କ’ଣ ପାଇଁ ବନ୍ଦ ହେଉଛି । ଶିକ୍ଷା ଆଗ ନା ନିର୍ବାଚନ ଆଗ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି ।କରୋନା ନାଁ ନେଇ ସରକାର ବିଶ୍ୱବିଦ୍ୟାଳୟର ନୈତିକ ବାତାବରଣ ଖରାପ କରି ଦେଉଛନ୍ତି । ଆସନ୍ତାକାଲି ପରୀକ୍ଷା ନିମନ୍ତେ କଲେଜ କର୍ତୃପକ୍ଷ ଗୋଟିଏ ହାତରେ ନୋଟିସ ଦେଉଛନ୍ତି, ଅନ୍ୟ ହାତରେ ହଷ୍ଟେଲ ଖାଲି କରିବାକୁ ନୋଟିସ ଦେଉଛନ୍ତି । ଏହା କି ପ୍ରକାର ନ୍ୟାୟ । ବାଣୀବିହାରରେ ଜଣେ ବି ପଜିଟିଭ ବାହାରି ନାହାନ୍ତି । ହେଲେ ହଷ୍ଟେଲ ଖାଲି କରିବାକୁ କହି ସାରିଲେଣି । ହେଲେ ଯେଉଁଠି ଲୋକ ଗହଳି ହେଉଛି ସେଠାରେ ଆଖି ବୁଜି ଦେଉଛନ୍ତି । କରୋନା ବ୍ୟାପିବ କହି ହଷ୍ଟେଲ ଖାଲି କରିବା ଅପେକ୍ଷା ଶିକ୍ଷାନୁଷ୍ଠାନରେ କିପରି କରୋନା ନ ବ୍ୟାପିବ ତାହାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଥିଲେ ।ଅପରପକ୍ଷରେ ପିଜି କାଉନସିଲ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଳିକ କହିଥିଲେ ଯେ ପ୍ରଥମେ ଜୀବନ, ତାପରେ ଶିକ୍ଷା । ହଷ୍ଟେଲ ବନ୍ଦ ନେଇ ସରକାରଙ୍କ ନିଷ୍ପତି ପାଳନ କରାଯିବ । ନିଷ୍ପତିରେ କୌଣସି ପରିବର୍ତନ କରାଯାଇପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ