ହାଇଆଲର୍ଟରେ ଶକ୍ତି ବିଭାଗ
ଭୁବନେଶ୍ୱର: କରୋନା ବିରୋଧରେ ଲଢ଼ିବା ସମ୍ପର୍କରେ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସାମ୍ନାରେ ଏକ ଆହ୍ୱାନ ରଖିଛନ୍ତି । ଆଜି ରାତି ୯ଟାରେ ୯ ମିନିଟ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରିବାକୁ କୁହାଯାଇଛି । କେବଳ ସେତିକି ନୁହେଁ, ଏହି ସମୟରେ ଘର ଦ୍ୱାର ମୁହଁରେ ଅଥବା ବାଲକୋନିରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ, ମୋବାଇଲ ଫ୍ଲାସ ଲାଇଟ ଆଦି ଜାଳିବାକୁ ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ୱାନର ଅନୁପାଳନ ଲାଗି ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ପ୍ରଚାର ଅଭିଯାନ ଜାରି ରହିଛି । ଅନ୍ୟ ପକ୍ଷରେ ଏକାସାଙ୍ଗରେ ସମସ୍ତ ଲାଇଟ ବନ୍ଦ ହେଲେ ପାୱାର ଗ୍ରୀଡ଼ ଉପରେ ଏହାର କି ପ୍ରଭାବ ପଡ଼ିବ, ସେ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହିସାବନିକାଶ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦାୟିତ୍ୱରେ ଥିବା ସଚିବ ସବୁ ରାଜ୍ୟର ଶକ୍ତି ସଚିବମାନଙ୍କୁ ହାଇଆଲର୍ଟରେ ରଖିଛନ୍ତି । କଣ କରିବେ, ନ କରିବେ, ସେ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଶକ୍ତି ବିଭାଗର ଅଧିକାରୀମାନେ କହିବା କଥା ଦେଶବାସୀ ୯ଟା ବେଳେ ଲାଇଟ ବନ୍ଦ କରିବା ପରେ ହଠାତ ବିଜୁଳି ଚାହିଦା ହ୍ରାସ ପାଇବ ଓ ଏହାର ପ୍ରଭାବ ବିଦ୍ୟୁତ ଗ୍ରୀଡ଼ ଉପରେ ପଡ଼ିପାରେ । ସେହିପରି ହଠାତ ଲାଇଟ ଲଗାଇଲେ ମଧ୍ୟ ଫ୍ୟୁଜର ଆଶଙ୍କା ରହିଛି । ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ମଧ୍ୟ ନିର୍ଦ୍ଦେଶ ନାମା ଜାରି କରିଛି । ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେବଳ ଲାଇଟ ଅଫ କଥା କହିଛନ୍ତି । କେଉଁଠାରେ ବି ଏକଥା କୁହାଯାଇନି କି ସେହି ସମୟରେ ଘରର ଫ୍ୟୁଜ, କମ୍ପ୍ୟୁଟର, ଏସି, ଟିଭି, ଫ୍ୟାନ ଆଦି ବନ୍ଦ କରାଯିବ । ଏଣୁ ଏସବୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ । ସେହିଭଳି ଷ୍ଟ୍ରିଟ ଲାଇଟ ବନ୍ଦ ନ କରିବା ଲାଗି କୁହାଯାଇଛି । ଏହା ଦ୍ୱାରା ସେ ସମୟରେ କେହି କିଛି ଫାଇଦା ଉଠାଇ କୌଣସି ଅଘଟଣ ଘଟାଇ ଦେଇପାରେ । ସେହିଭଳି ଡାକ୍ତରଖାନା, ଥାନା, ସାଧାରଣ ଲୋକ ଆତଯାତ କରୁଥିବା ବିଭିନ୍ନ ଅଫିସ, ଉତ୍ପାଦନକାରୀ ଶିଳ୍ପ ଖୋଲା ରହିବ ।
ଏହାଦ୍ୱାରା ଲୋଡ଼ରେ ଭାରସାମ୍ୟ ରହିପାରିବ ବୋଲି ଶକ୍ତି ବିଭାଗ ବିଚାର କରିଛି ଓ ତଦନୁଯାୟୀ ବିଜୁଳି ପ୍ରସ୍ତୁତ କରିଛି । ଶ୍ରୀ ସେଠୀ ଆହୁରି କହିଛନ୍ତି ଯେ ସେ ରାତିର ନିର୍ଦ୍ଧାରିତ ଏହି ସମୟ ପୂର୍ବରୁ ଉତ୍ପାଦନକାରୀ ଓ ବଣ୍ଟନକାରୀ ସଂସ୍ଥାର ଦାୟିତ୍ୱରେ ଥିବା ମୁଖ୍ୟ ପଦାଧିକାରୀଙ୍କ ସମେତ ସମସ୍ତେ ନିଜ ନିଜ ଅଫିସରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସମସ୍ତ ସ୍ୱାଧୀନ ବିଦୁ୍ୟତ ଉତ୍ପାଦନକାରୀ ସଂସ୍ଥା, କେନ୍ଦ୍ରୀୟ ଓ ରାଜ୍ୟ ବିଦ୍ୟୁତ ପରିବହନ, ବିଦ୍ୟୁତ ବିତରଣରେ ନିୟୋଜିତ ଆଦି ସଂସ୍ଥା ପ୍ରମୁଖଙ୍କୁ ଗ୍ରୀଡ଼କୁ କିଭଳି ନିରାପଦରେ ରଖାଯିବ, ସେ ନେଇ ସୂଚାଇ ଦିଆଯାଇଛି ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।