ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ ନିଯୁକ୍ତି ପ୍ରଦାନରେ ଟାଳଟୁଳ ନୀତି, ଦୁଃଖରେ କାଳାତିପାତ କରୁଛନ୍ତି ଆଦିତ୍ୟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ ପ୍ରଶାସନ ନିଯୁକ୍ତି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଫଳରେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ଆବେଦନକାରୀ । ଶେଷରେ ନ୍ୟାୟ ପାଇବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜନ ଅଭିଯୋଗ ବିଭାଗର ବିଶେଷ ସଚିବଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଏଭଳି ଏକ ଅଭିଯୋଗ ହୋଇଛି ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତରେ । ଉକ୍ତ ପଞ୍ଚାୟତ ଅଧିନ ବରକୋଣା ଗ୍ରାମର ସ୍ୱର୍ଗତ ଅନାଦି ଚରଣ ଶଂଖୁଆଙ୍କ ପୁତ୍ର ଆଦିତ୍ୟ ନାରାୟଣ ଶଂଖୁଆ ଗତ ୨୦୧୩ ମସିହାରେ ବସନ୍ତିଆ ପଞ୍ଚାୟତର ଖାଲି ଥିବା ଗ୍ରାମ ରୋଜଗାର ସେବକ ପଦବୀ ପାଇଁ ଆବେଦନ କରିଥିଲେ । ସରକାରୀ ଚୁଡାନ୍ତ ତାଲିକାରେ ସେ ୧ନଂ. ରହିଥିଲେ । ମାତ୍ର ସେତେବେଳେ ତାଙ୍କୁ ଉପରୁ ନିର୍ଦ୍ଦେଶ ନାହିଁ ବୋଲି କୁହାଯାଇ ନିଯୁକ୍ତି ପ୍ରଦାନ କରାଗଲା ନାହିଁ । ଫଳରେ ସେ କୋର୍ଟରେ ଆଶ୍ରୟ ନେଇଥିଲେ । ତାଙ୍କୁ ୬ ମାସ ମଧ୍ୟରେ ନିଯୁକ୍ତି ଦେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳି ପାରିନାହିଁ । ଶେଷରେ ସେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କୁ ୩ ମାସ ମଧ୍ୟରେ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏଥିସହିତ ସେ ରାଜ୍ୟ ଜନଅଭିଯୋଗ ବିଭାଗରେ ଅଭିଯୋଗ କରିବା ପରେ ଚିଠି ନଂ-୨୮୦୬/ଜିଏ ଆଣ୍ଡ ପିଜି/ତା-୧୭-୧୧-୨୦୨୦ ରିଖରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲାପାଳଙ୍କୁ ନିର୍ଦ୍ଦେଶ ହୋଇଥିଲା । ଏସବୁ ସତ୍ତେ ତାଙ୍କୁ ଅଦ୍ୟାବଧି ନିଯୁକ୍ତି ପ୍ରଦାନ କରାଯାଇନାହିଁ । ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।


