ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ବ୍ୟବହାର ନେଇ ଭାରତର ପ୍ରସ୍ତାବକୁ ମାନିଲା ଡବ୍ଲୁଏଚଓ
ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ବ୍ୟବହାର ନିମନ୍ତେ ଅଧିକ ପରୀକ୍ଷା ପାଇଁ ଭାରତର ପ୍ରସ୍ତାବକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ରହଣ କରିଛି । କରୋନା ସଂକ୍ରମଣ କମାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ବ୍ୟବହାର କରାଯିବା ସମ୍ପର୍କରେ ଭାରତର ଦୃଢ଼ ଯୁକ୍ତି ଉପସ୍ଥାପନ ପରେ ଡବ୍ଲୁଏଚଓ ଏହାର ପୂର୍ବ ଆଭିମୁଖ୍ୟ ବଦଳାଇଛି । ପୂର୍ବରୁ ଡବ୍ଲୁଏଚଓ କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବିପଜ୍ଜନକ ବୋଲି ଦର୍ଶାଇଥିଲା ଏବଂ ଏହାର ପ୍ରୟୋଗ ନ କରିବା ପାଇଁ କହିଥିଲା । ଆବଶ୍ୟକ ପରୀକ୍ଷଣ ପ୍ରୋଟକଲ ଆଧାରରେ ଭାରତ ଦେଇଥିବା ପ୍ରସ୍ତାବ ପଛରେ ଯଥେଷ୍ଟ ପ୍ରାମାଣିକ ତଥ୍ୟ ଥିବାରୁ ଡବ୍ଲୁଏଚଓ ଏବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ପ୍ରୟୋଗ ପୁଣି ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ କରିଛି । କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ସୁଫଳ କିଭଳି ମିଳିପାରିବ ସେଥିପାଇଁ ଅଧିକ ପରୀକ୍ଷା କରାଯିବ ଏବଂ ଖୁବଶୀଘ୍ର ଏ ବାବଦରେ ପରିଣାମ ଆସିବ ବୋଲି ଜଣାପଡ଼ିଛି । ଭାରତରେ ସ୍ୱାସ୍ଥ୍ୟକର୍ମୀମାନେ ସଂକ୍ରମଣକୁ ରୋକିବା ପାଇଁ ଏହାକୁ ବ୍ୟବହାର କରି ଯେଉଁ ସଫଳତା ପାଇଛନ୍ତି ସେ ସମ୍ପର୍କରେ ମଧ୍ୟ ଡବ୍ଲୁଏଚଓ ଭଲ ଭାବେ ଅବଗତ ହୋଇଛି । ଏବେ ଆମେରିକା ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଦ୍ୱାରା ଅନେକ ରୋଗୀଙ୍କ ସଫଳ ଚିକିତ୍ସାରେ ସକ୍ଷମ ହୋଇଛି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସଫଳ ପ୍ରୟୋଗ ଭିନ୍ନ ଭିନ୍ନ ବୟସର ରୋଗୀଙ୍କ କ୍ଷେତ୍ରରେ ସଠିକ ଅନୁପାତରେ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି