ହାଇସ୍କୁଲରେ କମ୍ପ୍ୟଟର ଶିକ୍ଷା ବନ୍ଦଶିକ୍ଷାଦାନରୁ ବଂଚିତ ଶହ ଶହ ଶିକ୍ଷାର୍ଥୀ
ହିଂଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଏବଂ ପୌରାଂଚଳରେ ଇନଫରମେସନ ଏଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି (ଆଇସିଟି) ଯୋଜନାରେ ବ୍ୟତିକ୍ରମ ଘଟିଛି । ଏହି ଯୋଜନା ମାଧ୍ୟମରେ ୯ମ ଓ ୧୦ ମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ଯେଉଁ କମ୍ପ୍ୟୁଟର ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଥିଲା , ତାହା ପାଠପଢାର ଏକମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ଏହି ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇପାରିନି । ଶହ ଶହ ଶିକ୍ଷାର୍ଥୀ ଏହି ଶିକ୍ଷାଦାନରୁ ବଂଚିତ ହୋଇଛନ୍ତି । ଏହି ଶିକ୍ଷାଦାନ ପାଇଁ ଯେଉଁ ଯେଉଁ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ମିଳିଥିଲା , ସେମାନଙ୍କ ମଧ୍ୟ ଆଶା ଓ ଆଶଙ୍କାରେ ରହିଛନ୍ତି । ଏହି କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ପୁନଃପ୍ରଚଳିତ ହେବ ନା ବନ୍ଦ ହେବ ତାହା ସମସ୍ତଙ୍କ ପାଇଁ ସନ୍ଦିହୀନ ଅବସ୍ଥା ସୃଷ୍ଟି କରିଛି । ହିଂଜିଳିକାଟୁ ବ୍ଳକର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଗତ ୨୦୧୪ ମସିହା ଠାରୁ ଏହି ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହୋଇଥିଲା । ଏଥି ସକାଶେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ଇନଫରମେସନ ଏଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି (ଆଇସିଟି) ଲ୍ୟାବ୍ ଖୋଲିଥିଲା । ଏଥି ସକାଶେ ପ୍ରତ୍ୟେକ ଲ୍ୟାବ୍କୁ ଶିକ୍ଷାର୍ଥୀଙ୍କ ସଂଖ୍ୟା ତୁଳନାରେ ୧୫ ରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ସିଷ୍ଟମ ବ୍ୟବସ୍ଥା ସହ କମ୍ପ୍ୟୁଟର ପାଇଁ ଆନୁଷଙ୍ଗିକ ଉପକରଣ ଯୋଗାଣ ଓ ଏହାକୁ ଚାଲୁ କରିବା ପାଇଁ ଅନ୍ୟାନ ବୈଦ୍ୟୁତିକ ଉପକରଣ ବ୍ୟବସ୍ଥା, ହାଇସ୍ପିଡ଼ ଇଂଟରନେଟ ବ୍ୟବସ୍ଥା ଓ ପ୍ରଶିକ୍ଷଣ ନିଯୁକ୍ତି ବ୍ୟବସ୍ଥା କରାଯାଇଥିଲା । ସମ୍ପ୍ରତି ଏ ସବୁ ବ୍ୟବସ୍ଥା ଅକାମୀ ହୋଇପଡ଼ିଛି । ଏହି ଶିକ୍ଷା ବ୍ୟବସ୍ଥା କେବେ ଆରମ୍ଭ ହେବ ସେ ନେଇ ବ୍ଳକ ଶିକ୍ଷାଧିକାରୀଙ୍କ ସମେତ ସଂପୃକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିିକ୍ଷୟତ୍ରୀ ମାନଙ୍କ ପାଖରେ କୌଣସି ପ୍ରକାର ସୂଚନା ନାହିଁ । ଏହି ଶିକ୍ଷାଦାନ ପାଇଁ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ଯେଉଁ ପ୍ରଶିକ୍ଷକଙ୍କ ନିଯୁକ୍ତି ମିଳିଥିଲା ସେମାନେ ଆଉ ବିଦ୍ୟାଳୟକୁ ଆସୁନାହାନ୍ତି । ଫଳରେ ବିନା ପ୍ରଶିକ୍ଷଣରେ ଏସବୁ ସିଷ୍ଟମର ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ।
ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଓଡ଼ିଶା ମାଧ୍ୟାମିକ ଶିକ୍ଷା ମିଶନ ପକ୍ଷରୁ ଏହି କମ୍ପ୍ୟୁଟର ଶିକ୍ଷା ଗତ ୨୦୧୪ ମସିହାରୁ ଆରମ୍ଭ ହୋଇଥିଲା । ଏହି ଇନଫରମେସନ ଏଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି (ଆଇସିଟି) ଯୋଜନାରେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ନଲେଜ କର୍ପୋରେସନ (ଓକେସିଏଲ) ଲିଃ. ଦାୟିତ୍ୱ ନ୍ୟସ୍ତ ହୋଇଥିଲା ।ଏଥିରେ ବୁଟ୍ ମଡ଼େଲ ଜରିଆରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏହି ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଥିଲା ।ୂ ଏହି ଶିକ୍ଷା ବ୍ୟବସ୍ଥାର ଅବଧି ୫ ବର୍ଷ ରହିଥିବା ବେଳେ ଚଳିତ ମାର୍ଚ୍ଚ ମାସ ଠାରୁ ଅବଧି ଶେଷ ହୋଇଯାଇଛି । ଏହି ଶିକ୍ଷା ବ୍ୟବସ୍ଥାର ନବୀକରଣ ପାଇଁ ଗଂଜାମ ଜିଲ୍ଲାର ୨୪୭ ଜଣ କମ୍ପ୍ୟୁଟର ପ୍ରଶିକ୍ଷକ ଜିଲ୍ଲାପାଳଙ୍କ ଠାରେ ଆନ୍ଦୋଳନ ଚଲାଇଛନ୍ତି । ଯଦି ଏହି ଶିକ୍ଷା ବ୍ୟବସ୍ଥାର ନବୀକରଣ କରାନଯାଏ ତାହା ହେଲେ ଗ୍ରାମାଂଚଳର ଶହ ଶହ ଶିକ୍ଷାର୍ଥୀ ଏହି କମ୍ପ୍ୟୁଟର ଶିକ୍ଷାଦାନରୁ ବଂଚିତ ହେବା ସହ ଏହି ଶିକ୍ଷାଦାନରେ ନିଯୁକ୍ତି ପାଇଥିବା ପ୍ରଶିକ୍ଷକ ମାନେ ବେସାହାରା ହୋଇଯିବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।