ହାଇସ୍କୁଲ ନାମ ପରିବର୍ତ୍ତନ ଉପରେ ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତାଦେଶ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗୋବିନ୍ଦପୁରସ୍ଥିତ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲର ନାମ ପରିବର୍ତ୍ତନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ତା-୬-୧୨-୨୦୧୯ ରିଖରେ ସ୍ଥଗିତାଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଆସନ୍ତା ତା-୭-୧-୨୦୨୦ ରିଖ ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ରହିଛିି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ଗତ ତା-୨୭-୧୧-୨୦୧୯ ରିଖରେ ଗଣେଶ ପ୍ରସାଦ ୟୁପିିଏମଇ ସ୍କୁଲ ପୁରୁଷୋତ୍ତମ ସେଠୀ ହାଇସ୍କୁଲ ସହିତ ମିଶ୍ରଣ ହୋଇ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ, ଗୋବିନ୍ଦପୁର ନାମରେ ନାମିତ ହୋଇଥିଲା । ଉକ୍ତ ବିଦ୍ୟାଳୟ ନାମରେ ଛାତ୍ରଛାତ୍ରୀ ମାନେ ୨୦୧୭-୧୮ ଓ ୨୦୧୮-୧୯ ଦୁଇ ବର୍ଷ ଧରି ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ଏପରିପେକ୍ଷୀରେ ଗଣେଶ ପ୍ରସାଦ ୟୁପିଏମଇ ସ୍କୁଲ ପରିଚାଳନା କମିଟିର ସଭାପତି ବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ଡବ୍ଲ୍ୟୁପି(ସି)୩୬୬୬/୨୦୧୯ ମୂଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ବଳରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନଂ-୨୩୨୮୮/ତା-୨-୧୧-୧୯ରିଖ ଅନୁଯାୟୀ ଉକ୍ତ ବିଦ୍ୟାଳୟର ନାମ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ଗୋବିନ୍ଦପୁର ପରିବର୍ତ୍ତେ ଗଣେଶ ପ୍ରସାଦ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାକୁ ବିରୋଧ କରି ଗୋବିନ୍ଦପୁର ଗ୍ରାମର ଦୁଇ ଜଣ ଅଭିଭାବକ ଡବ୍ଲ୍ୟୁପି(ସି) ନଂ-୨୩୬୨୩/୨୦୧୯ ମୂଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ଅଭିଯୋଗକୁ ବିଚାର କରି ବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଆସନ୍ତା ତା-୭-୧-୨୦୨୦ ରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଦେଇଛନ୍ତି ।