ହାଇୱା ଧକ୍କାରେ ସ୍କୁଲ ଛାତ୍ର ଗୁରୁତର : ରାସ୍ତା ରୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୬ନଂ ୱାର୍ଡର ଗୈାଡଗୋପ ଠାରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଲ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଗୈାଡଗୋପ ଗ୍ରାମର ମୋଜୋ ଖାନଙ୍କ ପୁଅ ସୁହେଲ ଖାନ ଓରଫ ଫରହାନ(୧୨) ଗୁରୁବାର ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ସାଇକେଲ ରେ କାକଟଲକ – ସାନ୍ତସାହି କେନାଲବନ୍ଧ ରାସ୍ତାରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡି ତାଙ୍କୁ ଧକ୍କା ଦେଇଥିଲା । ହାଇୱାକୁ ପଛକୁ ଫେରାଇ ଗୁରୁତର ଅବସ୍ଥାରେ ସୁହେଲକୁ ଗାଡି ତଳୁ ବାହାର କରାଯାଇଥିଲା । ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ରାସ୍ତାରୋକ କରିଥିବା ଲୋକମାନଙ୍କୁ ବୁଝାଇ ଶୁଝାଇ ରାସ୍ତା ରୋକକୁ ହଟାଇ ଦୂର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।


