ହାଇୱା ରେ ବାଲି ଚାଲାଣ ଯୋଗୁଁ ଲୋକେ କ୍ଷତିଗ୍ରସ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ର ନୟାହାଟ ଠାରୁ ୪ କିମି ଦୂର ଉତ୍ତର ଦିଗରେ ଦେବୀ ନଦୀ ପ୍ରବାହିତ ହେଉଛି। ଦେବୀ ନଦୀ ର ଶିଖର ଘାଟ ଠାରେ ଥିବା ବାଲି ଘାଟ କୁ ସରକାର ନିଲାମ ଦେଇଛନ୍ତି। ବାଲି ଘାଟ ଠାରୁ ଦୈନିକ ଶହ ଶହ ଟ୍ରକ ବାଲି ବୋଝେଇ କରି ଅନ୍ୟତ୍ର ଚାଲାଣ କରୁଛନ୍ତି। ଟ୍ରକ ବା ଯେ କୌଣସି ଯାନ ରେ ବାଲି ପରିବହନ ସମୟ ରେ ତାହାକୁ ପଲଥିନ ଘୋଡ଼ାଇ କରି ନେବା ନିୟମ ରହିଛି।କେତେକ ହାଇୱା ( ୧୦ ଚକିଆ ଟ୍ରକ) ନଦୀ ଘାଟ ରୁ ବିଭିନ୍ନ ସ୍ଥାନ କୁ ବାଲି ପରିବହନ କରୁଥିଲେ ମଧ୍ୟ ବାଲି ଉପରେ କୌଣସି ଜରି,ପାଲ ଅଥବା ପଲଥିନ ଘୋଡାଉ ନାହାନ୍ତି ଯାହା ସମ୍ପୂର୍ଣ ବେଆଇନ ବୋଲି କହିଛନ୍ତି ସମାଜସେବୀ ହରିହର ସାହୁ। କିଛି ହାଇୱା ମନମୁଖୀ ଭାବେ ଆବଶ୍ୟକୀୟ ପରିମାଣ ଠାରୁ ବହୁ ଅଧିକ ପରିମାଣ ରେ ବାଲି ପରିବହନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ହାଇୱା ରେ ପରିବହନ ହେଉଥିବା ବାଲି ଉପରେ କୌଣସି ଜରି, ପାଲ ପଡୁ ନ ଥିବାରୁ ପବନ ରେ ବାଲି ଉଡ଼ି ପଥଚାରୀ ଙ୍କ ଆଖି ରେ ପଡ଼ୁଛି। ରାସ୍ତା ରେ ଯାଉଥିବା ବାଇକ ଚାଳକ ଙ୍କ ଉପରେ ସମୟେ ସମୟେ ବାଲି ମଧ୍ୟ ପଡ଼ୁଛି।ରାସ୍ତା ପାଶ୍ଵ ରେ ଥିବା ଘର, ଦୋକାନ ରେ ବାଲି ଉଡ଼ି ପ୍ରବେଶ କରୁଛି। ସବୁଠାରୁ ଉଦବେଗ ର ବିଷୟ ହେଉଛି ଓଭର ଲୋଡ କରି ହାଇୱା ଗୁଡ଼ିକ ବାଲି ପରିବହନ କରୁଥିବାରୁ ରାସ୍ତା ରେ ଏକ ପ୍ରକାର କମ୍ପନ ସୃଷ୍ଟି ହେଉଛି। ଯାହା ଫଳରେ ରାସ୍ତା କଡ଼ରେ ଥିବା ଦୋକାନ ଓ ବାସଗୃହ ଗୁଡ଼ିକ ର କାନ୍ଥ ରେ ଫାଟ ସୃଷ୍ଟି ହୋଇଛି ଓ ହାଇୱା ଚଳାଉଥିବା ଚାଳକ ମାନଙ୍କ ମଧ୍ୟରୁ ଅନେକ ଙ୍କ ର ଡ୍ରାଇଭିଂ ଲାଇସେନ୍ସ ନଥିବା ଅଭିଯୋଗ ହେଉଛି। ହାଇୱା ଗୁଡ଼ିକ ଯେଉଁ ରାସ୍ତା ରେ ବାଲି ପରିବହନ କରୁଛନ୍ତି ସେହି ରାସ୍ତା ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ପୁରୀ ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଯେଉଁ ହାଇୱା ଗୁଡ଼ିକ ବେଆଇନ ଭାବେ ବାଲି ପରିବହନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।