ହାଟଡ଼ିହି କେନାଲ ବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ହାଟଡ଼ିହି ଗ୍ରାମକୁ ସଂଯୋଗ କରୁଥିବା ୩ନଂ ହାଇଲେବୁଲ କେନାଲ ବନ୍ଧ ରାସ୍ତା ଏବେ ଜରାଜୀର୍ଣ୍ଣ। ଗାଁ ମୁଣ୍ଡ ଠାରୁ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଯାଏଁ ରାସ୍ତାର ଦୈର୍ଘ୍ୟ ପ୍ରାୟ ୧କିମି ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଏହାର ରକ୍ଷଣାବେକ୍ଷଣ ହୋଇନାହିଁ। ପ୍ରଥମେ ମାଟି ଓ ପରେ ଏହା ଉପରେ ମୋରମ ବିଛାଯାଇ କେନାଲ ବନ୍ଧକୁ ଯାତାୟତ ଉପଯୋଗୀ କରାଯାଇଥିଲା। କଚ୍ଚା ରାସ୍ତା ଉପରେ ଯାତାୟତ ପାଇଁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ୨୦୧୬ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ କେନାଲ ଡାହାଣ ପାର୍ଶ୍ୱ ଯାତାୟତ ପଥର ନବୀକରଣ କାର୍ଯ୍ୟ ହୋଇଥିବା ବେଳେ ସମ୍ପୂର୍ଣ୍ଣ ଅନୁଦାନରୁ କିଛି ଅଂଶ ଉକ୍ତ ୧କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଥିଲା। ଠିକା ସଂସ୍ଥା ଅତି ମନମୁଖୀ ଭାବେ ହାଟଡ଼ିହି ଗ୍ରାମବାସୀଙ୍କ ଯାତାୟତ ପାଇଁ କେନାଲର ବାମ ପାର୍ଶ୍ଵରେ ପିଚ ନିର୍ମାଣ କରିଥିଲା। ବନ୍ଧ ଉପରେ କୌଣସି ଭାରିଯାନ ଚଳାଚଳ କରୁନଥିବା ସତ୍ତ୍ୱେ ନିର୍ମାଣର ଅଳ୍ପ କେତେ ମାସ ପରେ ରାସ୍ତା ଫାଟି ଆଁ କରିଥିଲା। ସାଇକେଲ, ମୋଟର ସାଇକେଲ ତ ଦୂରର କଥା ୧କିମି କେନାଲ ରାସ୍ତାରେ ଚାଲିଚାଲି ଯିବା ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି। ପ୍ରାୟ ୪ବର୍ଷ ହେବ ନିର୍ମାଣାଧୀନ ପିଚ ରାସ୍ତାଟି ନଷ୍ଟ ହୋଇଯାଇଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି। ରାସ୍ତା ମରାମତି ପାଇଁ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ନିବେଦନ କରିଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଦୀପ ତଳ ଅନ୍ଧାର ଭଳି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସଂଲଗ୍ନ କେନାଲ ରାସ୍ତାର ଅବସ୍ଥା ଯଦି ଏହିଭଳି ହୋଇଛି ତାହେଲେ ଦୂରରେ ଥିବା ଅନ୍ୟ କେନାଲ ବନ୍ଧ ରାସ୍ତା ଗୁଡିକ କଣ ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମେୟ।


