ହାଟଡିହିରେ ଖୋଲିଲାନି ଷ୍ଟେଟବ୍ୟାଙ୍କର ନୁଆ ଶାଖା, ସାଧାରଣରେ ତୀବ୍ର ଅସନ୍ତୋଷ
ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ କର୍ତ୍ତୁପକ୍ଷ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ସୀମିତ ଶାଖା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଟଡିହି ବ୍ଳକଟି ୩୧ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଏହାର ଲୋକ ସଂଖ୍ୟ ଏକ ଲକ୍ଷରୁ ଉର୍ଦ୍ଧ । ଏବେ ସାଧାରଣ ଲୋକଙ୍କର ଅଧିକାଶଂ କାର୍ଯ୍ୟ ବ୍ୟାଙ୍କ ମାଧ୍ୟମରେ କରାଯାଉଥିବାରୁ ଲୋକମାନେ ପ୍ରାୟତ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ହାଟଡିହି ବ୍ଲକରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଷ୍ଟେଟବ୍ୟାଙ୍କ ଶାଖା ଖୋଲି ପାରିଲାନି । କେବଳ ଆନନ୍ଦପୁରରେ ଷ୍ଟେଟବ୍ୟାଙ୍କ ଶାଖା ଥିବାରୁ ନୁଆ ଆକାଉଣ୍ଟ ଖୋଲିବାପାଇଁ ଲୋକମାନେ ବାରମ୍ବାର ଆନନ୍ଦପୁର ବ୍ୟାଙ୍କକୁ ଦୌଡୁଛନ୍ତି । ସାମାନ୍ୟ ଜମା ଓ ଉଠାଣପାଇଁ ଦୁରଦୁରାନ୍ତରୁ ଆନନ୍ଦପୁର ଯାଉଥିବା ଲୋକମାନେ ହଇରାଣ ହରକତ ହେଉଛନ୍ତି । ଜନସେବାକେନ୍ଦ୍ର ମାଧ୍ୟମରେ ଜମା ଉଠାଣ ହୋଇପାରୁଥିଲେ ମଧ୍ୟ ସେଥିରେ ଟଙ୍କା ଦେବାକୁ ପଡୁଥିବାରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ଜମା କି ଉଠାଣ ପାଇଁ ଆନନ୍ଦପୁର ଯିବାକୁ ହେଲେ ଗୋଟିଏ ଗୋଟିଏ ଦିନ ଅତିବାହିତ ହୋଇଯାଉଛି । ହାଟଡିହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆନନ୍ଦପୁର ଷ୍ଟେବ୍ୟାଙ୍କର ଦୁରତା ୪୦କିଲୋମିଟରରୁ ଉର୍ଦ୍ଧ ହେୁଥିବାରୁ ଅନେକ ସମୟରେ ଲୋକମାନେ ଟଙ୍କା ଉଠାଇ ଏତେ ଦୁରରୁ ଆସୁଥିବାବେଳେ ଲୁଟର ଶୀକାର ହେଉଥିବା ନଜିର ରହିଛି । ପେନ୍ସନ୍ ଭୋଗୀଙ୍କ ଅବସ୍ଥା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏଭଳି ପରିସ୍ଥିତିରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଷ୍ଟେଟ୍ବ୍ୟାଙ୍କର ନୁତନ ଶାଖା ଖୋଲିବା ଫାଇଲ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଟେବୁଲ ତଳେ ଚାପି ହୋଇରହିଯାଇଛି । ବାରମ୍ବାର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଥିଲେବି କର୍ତ୍ତୁପକ୍ଷଙ୍କ ଅଣଦେଖାରୁ ଗତ ୧୦ ବର୍ଷ ହେଲା କେନ୍ଦୁଝର ଜିଲାର ୬ଟି ସ୍ଥାନରେ ନୁଆ ଶାଖା ଖୋଲାଯିବା ପାଇଁ ନିଷ୍ପତ୍ତି ସରିଥିଲେ ମଧ୍ୟ ଅଦ୍ୟାବଧି ଏହା ଖୋଲିବାରେ ବିଳମ୍ବ ହେଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦୁଝର ଜିଲାର କେନ୍ଦୁଝର, କେନ୍ଦୁଝର(ସାଂଧ୍ୟ କାଳୀନ), ଆକୁଳ, ଜଗମୋହନପୁର, ଉଖୁଣ୍ଡା, ପଦ୍ମପୁର, ଚିମିଳା, ନାରଦପୁର, ଯୋଡ଼ା, ଆନନ୍ଦପୁର, ଘଟଗାଁ, ଜଙ୍ଘିରା, ଭଦ୍ରାସାହି, ବିଲେଇପଦା, ଘସିପୁରା, ବଡ଼ବିଲ ଓ ବଲାଣିରେ ଷ୍ଟେଟ୍ ବ୍ୟାଙ୍କର ଶାଖା କାର୍ଯ୍ୟ କରୁଛି । ତେବେ ଜିଲାର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ ହାଟଡିହି ବ୍ଲକରେ ଅଦ୍ୟାବଧି ଶାଖା ଖୋଲାଯାଇ ପାରିନାହିଁ । ୨୦୦୮ରେ ହାଟଡ଼ିହି ବ୍ଲକର ଛେନାପଦି ଛକ, ଓରାଳି, ଘସିପୁରା ବ୍ଲକର ସାଇଁକୁଳ, ଘସିପୁରା,ଦେଓଗାଁ ଆନନ୍ଦପୁର ବ୍ଲକର ଶାଳବଣୀ ପ୍ରଭୃତି ସ୍ଥାନରେ ଶାଖା ଖୋଲିବାପାଇଁ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ଉପଖଣ୍ଡର ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଦସ୍ତଖତ କରିବା ସହ ଏଠାରେ ତୁରନ୍ତ ଶାଖା ଖୋଲିବାପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ । ଏହାପରେ କର୍ତ୍ତୁପକ୍ଷ ୨୦୦୮ରେ ଚମ୍ପୁଆରେ ଓ ୨୦୦୯ରେ ଘସିପୁରା, ଛେନାପଦି, ସାଇଁକୁଳ, ଓରାଳି ଓ ଝୁମ୍ପୁରାରେ ବ୍ୟାଙ୍କର ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ନିଷ୍ପତ୍ତି ନେବାର ଦୀର୍ଘ ବର୍ଷ ପରେ କେବଳ ଘସିପୁରା ଠାରେ ଏକ ଶାଖା ଖୋଲିଥିବାବେଳେ ବ୍ୟାଙ୍କ କର୍ତ୍ତୁପକ୍ଷ ସାଇଁକୁଳ, ଛେନାପଦି ଓ ଓରାଳି ଠାରେ ନୂତନ ଶାଖା ଖୋଲିବାକୁ କୌଣସି ପଦକ୍ଷେପ ନେଇନାହାନ୍ତି । ବ୍ୟାଙ୍କ କର୍ତ୍ତୁପକ୍ଷ ଘର ମିଳୁନଥିବା କହି ସମୟ ଗଡ଼ାଇ ଏହାକୁ ଏଡି ଦେଇଥିଲେ । ଲୋକମାନେ ଘର ଦେବାପାଇଁ ଆବେଦନ କରିଥିଲେହେଁ ବ୍ୟାଙ୍କ କର୍ତ୍ତୁପକ୍ଷ ସେମାନଙ୍କ ସହ କୌଣସି ଯୋଗଯୋଗ କରି ନଥିଲେ । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୁରନ୍ତ ଛେନାପଦିଛକରେ ଷ୍ଟେଟବ୍ୟାଙ୍କର ନୁଆ ଶାଖା ଖୋଲିବାପାଇଁ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବଞ୍ଚୋ ସରପଞ୍ଚ ଚମ୍ପାବତୀ ପୁହାଣ, ସରପଞ୍ଚ ବିମ୍ବାଧର ବିଶ୍ୱାଳ, ପନ୍ଦାଡୋ ସରପଞ୍ଚ ଅନିରୁଦ୍ଧ ବେହେରା, ପଞ୍ଚୁଗୋଛିଆ ସରପଞ୍ଚ ଜାନକୀ ଓଝା, ଓରାଳି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅରୁଣ ପଧାନ, ପ୍ରସାନ୍ତ ରାଉତ, ବିନୟ ନାୟକ, ଯୋଗେନ୍ଦ୍ର ବେହେରା, ସୌମ୍ୟ ରଞ୍ଜନ ଜେନା, ବିକାଶ ବିଶ୍ୱାଳ, ଅଜୟ ଲେଙ୍କା, ରବିନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ରାଧାକୃଷ୍ଣ ପତି, ସୁଧାକର ଓଝା, ଚକ୍ରଧର ସାହୁ, ଦେବେନେ୍ଦ୍ର ଜେନା, ପ୍ରମୁଖ ଦାବି କରିଛନ୍ତି ।