ହାଟଡିହିରେ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ନିଯୁକ୍ତି ମିଶନ ଶକ୍ତି ଓଡିଶା ପକ୍ଷରୁ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ନିମନ୍ତେ ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଅନୁଷ୍ଠିତ ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ବିଡିଓ ଜୟଦେବ ଦାସ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ବ୍ଲକ ସଂଯୋଜିକା ମିନାକ୍ଷୀ ମୋନାଲିସା ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିପିଓ ନବୀନ ନାୟକ, ପିଇଓ ନରରି ନାୟକ ପ୍ରମୁଖ ଯୋଗଦେଇ ଏହି ଶିବିର ଦ୍ୱାରା କିପରି ବେକାର ଯୁବକ ଯୁବତୀମାନେ ନିଯୁକ୍ତି ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ୧୨୮ଜଣ ଯୁବତୀ ଓ ୧୦୭ଜଣ ଯୁବକ ସେମାନଙ୍କ ନାମ ପଞ୍ଜିକୃତ କରି ଶିବିରରେ ଯୋଗଦେିଥିବାବେଳେ ପ୍ରଶିକ୍ଷଣ ସଂସ୍ଥା ସିଟିଟିସି ଭୁବନେଶ୍ୱରର ସତ୍ୟବ୍ରତ ବାରିକ, ସିଆଇନିଇଟି ଭବନେଶ୍ୱରର ବିଶ୍ୱଜିତ ବେଉରିଆ, ଏସଆଇଏଚଏମ ବଲାଙ୍ଗୀରର ଦିନେଶ କୁମାର ଗଡସୋରା ପ୍ରମୁଖ ଯୋଗଦେଇ ଯୁବକ ଯୁବତୀ ମାନଙ୍କ କାଉନସିଲିଂ କରିଥିଲେ । ଜିଆରଏସ ପଙ୍କଜ କୁମାର ତିପାଠୀ, ଅନିଲ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।