ହାଟଡିହିରେ ପ୍ରସିଦ୍ଧ ପାଟୁଆ ଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହିର ତେଲୁଗା ହାଟ ନିକଟରେ ପ୍ରସିଦ୍ଧ ପାଟୁଆଯାତ୍ରା ପାଲିତ ହୋଇଯାଇଛି । ଏଥିପାଇଁ ସମଗ୍ର ହାଟଡିହି ଅଞ୍ଚଳଟି ଉତ୍ସବ ମୁଖରିତ ହୋଇଉଠିଛି । ମାନସିକ ଧାରୀମାନେ ପାଟୁଆ ଯାତ୍ରାରେ ସାମିଲ ହୋଇ ଜିଭ, ପେଟ ଫୋଡାଇ ମାନସିକ ପୁରଣ କରିଛନ୍ତି । ପଣାସଂକ୍ରାନ୍ତି ଦିନ ଭୋର ୪ଟାବେଳେୁ ଶହଶହ ଶ୍ରଦ୍ଧାଳୁ ମା ପଞ୍ଚଘଟଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ପୁର୍ବ ପ୍ରଥା ଅନୁସାରେ କୁକୁଡା ବଳି ପକାଇଥିଲେ । ପୁଜାପରେ ପାଟୁଆମାନେ ଜିଭ ଫୋଡାଇ ମାନସିକ ପୁରଣ କରିବାସହ ଗାଁ ଗାଁ ବୁଲି ମାଗଣ କରିଥିଲେ । ସୁଚନା ଅନୁସାରେ କାହିଁ କେଉଁ ଯୁଗରୁ ଏହି ପର୍ବ ଅନୁଷ୍ଠିତ ହୋଇ ଆସୁଥିବାବେଳେ ପ୍ରଥା ଅନୁସାରେ ନିକଟସ୍ଥ କପୁଣ୍ଡି ଗ୍ରାମର ସେତେବେଳେର ଜମିଦାର ଜେନା ପରିବାର ପକ୍ଷରୁ ମାଙ୍କର ପୁଜା କରାଯାଇ ଆସୁଅଛି । ବର୍ଷସାରା ତାଙ୍କ ଘରେ ଠାକୁରାଣୀଙ୍କୁ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିବାବେଳେ କେବଳ ପଣାସଂକ୍ରାନ୍ତିର ଦୁଇଦିନ ପୁର୍ବରୁ ଆଜ୍ଞାମାଳ ନିଆଯାଇ ୫ଟି ଘଟ ସହିତ ମାଙ୍କୁ ଏଠାକୁ ଅଣାଯାଇ ସମସ୍ତ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଇଥାଏ । ପୂଜାପରେ ପୁନଶ୍ଚ ମାଙ୍କୁ କପୁଣ୍ଡି ଗ୍ରାମକୁ ଫେରାଇ ନିଆଯାଇଥାଏ । ଏଠାରେ ଜିଭଫୋଡା ଓ ପିଠି ଫୋଡା ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।


