ହାଟଡିହିରେ ସିଡିପିଓ ନିଯୁକ୍ତି କେବେ !
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକରେ ଦୀର୍ଘ ୬ମାସ ହେଲା ସିଡିପିଓ ପଦବୀ ଖାଲି ପଡିଥିବାରୁ ନାନା ଅସୁବିଧା ଦେଖା ଦେଇଛି । ହାଟଡିହି ବ୍ଲକଟି ଜିଲକଲାର ଏକ ବୃହତ ବ୍ଲକ ଭାବେ ପରିଗଣିତ ହୋଇଥିବାବେଳେ ଏଥିରେ ୩୧ଟି ପଞ୍ଚାୟତ ଅଛି । ଏହି ୩୧ଟି ପଞ୍ଚାୟତରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ହାଯଡିହି, ବଞ୍ଚୋ, ସମଣା, ଶାଳଣିଆଁ, ଡଅଁର, ସୋସୋ, ବାଙ୍ଗୋର, ଢ଼େଙ୍କା ଆଦି ସ୍ଥାନରେ ୮ଟି ସ୍କେଟର ଅଛି । ଏହି ସେକ୍ଟର ମାନଙ୍କରେ ନିଯୁକ୍ତ ଥିବା ଜଣେ ଲେଖାଏଁ ସେକ୍ଟର ସୁପରଭାଇଜର ଏହି ଅଙ୍ଗନବାଡି ଗୁଡିକ ପରିଦର୍ଶନ କରି କାର୍ଯ୍ୟକ୍ରମକୁ ତଦାରଖ କରୁଥିଲେ ମଧ୍ୟ ତାହା ଯଥେଷ୍ଟ ନୁହଁ । ଏହି ଅଙ୍ଗନବାଡି ଗୁଡିକ ମାଧ୍ୟମରେ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି । ଏବେ ବ୍ଲକରେ ୬୯୭୩ଜଣ ୭ମାସରୁ ୩ବର୍ଷର ଶିଶୁଙ୍କୁ ଛତୁଆ ବଣ୍ଟନ କରାଯାଉଥିବାବେଳେ ୨୮୬୫ଜଣ ଗର୍ଭବତୀ ପ୍ରସୁତୀ ମହିଳାଙ୍କୁ ଖାଦ୍ୟ ଓ ଔଷଧ ଦିଆଯାଉଛି । ୨୧୯ଟି କେନ୍ଦ୍ରରେ ୭୧୨୧ଜଣ ଶିଶୁ ଶିକ୍ଷାଲାଭ କରୁଛନ୍ତି । କିନ୍ତୁ ଏପରି ଏକ ବୃହତ ବ୍ଲକରେ ଗତ ୬ମାସ ହେଲା ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପଦବୀ ଖାଲି ପଡିଛି । ସିଡିପିଓ ଥିବା ସୌଦାମିନୀ ନାୟକ ଗତ ମାର୍ଚ୍ଚ ମାସରେ ଅବସର ନେବାପରେ ଆଜି ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ । ଫଳରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଠିକ ଭାବେ ତଦାରଖ ହୋଇପାରୁନି । ସିଡିପିଓ ନଥିବାରୁ କୁଶଟିକିରି ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇପାରୁନି । ଦୀର୍ଘଦିନ ହେଲା ଉକ୍ତ ଅଙ୍ଗନବାଡି କର୍ମୀଙ୍କ ଦେହାନ୍ତ ହୋଇଯିବାପରେ ପଦବୀଟି ଖାଲି ପଡିଥିବାରୁ ସହାୟିକାଙ୍କ ଦ୍ୱାରା କେନ୍ଦ୍ର ପରିଚାଳିତ ହେଉଛି । ସେହିପରି ଶିବନାରାୟଣପୁର ୧, ନୀଳାପୁର, ରାମକୃଷ୍ଣପୁର ଗ୍ରାମରେ ଥିବା ଅଙ୍ଗନବାଡି ଗୁଡିକରେ ମଧ୍ୟ ହେଲପର ନିଯୁକ୍ତି ହୋଇପାରୁନି । ଏନେଇ ଗ୍ରାମବାସୀ ମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ସିଡିପିଓ ନଥିବାରୁ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରୀୟା ଆରମ୍ଭ ହୋଇପାରୁନି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ହାଟଡିହି ବ୍ଲକରେ ସିଡିପିଓ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି ।