ହାଟଡିହିର ବିଭିନ୍ନ ସ୍ଥାନରେ ପ୍ରଭୂ ଶନିଶ୍ଚରଙ୍କ ପୂଜାତ୍ସୋବ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଭୂ ଶନିଶ୍ଚରଙ୍କ ବାର୍ଷିକ ପୂଜାତ୍ସୋବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ଛେନାପଦିଛକ, ମୋଟରାଗଡିଆ, ମୁଗୁପୁର, କୁଣ୍ଡିସାହି, ନୁଆରମ୍ପାସ, କପୁଣ୍ଡି, ବଞ୍ଚୋ ପ୍ରଭୃତି ସ୍ଥାନ ମାନଙ୍କରେ ଥିବା ଶନିଶ୍ଚର ମନ୍ଦିରରେ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଛେନାପଦି ଛକରେ ଥିବା ଶନିଶ୍ଚର ମନ୍ଦିରରେ ଗତକାଲି ରାତିରେ ଜଳାଭିଷେକ କରାଯାଇ ଅଙ୍କୁରାରୋପଣ କର୍ମ କରାଯିବାପରେ ଆଜି ସକାଳୁ ସମସ୍ତ ରୀତି ନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପଣ୍ଡିତ ବାଇଧର ପାଢ଼ୀ, ବାଦଲ ପାଢ଼ୀ ପ୍ରମୁଖ ବୈଦିକ ରୀତିରେ ହୋମଯଜ୍ଞ କରିବାସହ ପୂଜାର୍ଚ୍ଚନା କରିଥିଲେ । ଶନିଶ୍ଚର ମନ୍ଦିରରେ ମୋହନ ଚରଣ ପାଢ଼ୀ, ଅଭିମନୁ୍ୟ ପାଢ଼ୀ, ସନାତନ ପାଢ଼ୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ରତ୍ନାକର ସାହୁ, ତିଳୋତ୍ତମା ସାହୁ, ଦିପ୍ତୀ ରଞ୍ଜନ ସାହୁ ପ୍ରମୁଖ କତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଆଜି ସକାଳ ୫ଟାବେଳେୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଥିଲା । ଭକ୍ତମାନେ ଶନିଶ୍ଚରଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହିତ ଶମିବୃକ୍ଷରେ ମାନସିକ ପୁରଣ ନିମିତ୍ତ ଶଙ୍ଖା ଓ ବସ୍ତ୍ର ବାନ୍ଧି ଶମିବୃକ୍ଷରେ ଜଳଲାଗି କରିଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ନିରଞ୍ଜନ ଜେନାଙ୍କ ନେତୃତ୍ୱରେ ଯୁବରାଜ ବିଶ୍ୱାଳ, ଜିତୁ ସାହୁ, ଜ୍ୟୋତି ପେରେଇ, ଦୀନବନ୍ଧୁ ପରିଡା, ନରହରି ଦେହୁରୀ, ଶୁକଦେବ ନାହାକ, ସୁଦର୍ଶନ ସାହୁ, ନାରାୟଣ ଜେନା, ସୁଧାଶୁଂ ସେଠୀ ପ୍ରମୁଖଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏପରିକି ପରିସରରେ ଥିବା ମା ତାରିଣୀଙ୍କ ମନ୍ଦିର ଓ ବିଶେଶ୍ୱର ମହାଦେବ ମନ୍ଦିରରେ ମଧ୍ୟ ପବ୍ରଳ ଗହଳି ଦେଖିବାକୁ ମିଳିଥିଲା । ସେହିପରି ଏ ଅଞ୍ଚଳର ସର୍ବ ପୁରାତନ ମୋଟରାଗଡିଆ ଶନି ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଆଖପାଖ ଗ୍ରାମ ସହିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ହଜାର ହଜାର ଭକ୍ତ ଯୋଗଦେଇ ପ୍ରଭୂଙ୍କ ପାଖରେ ପୂଜାର୍ଚ୍ଚନା କରିବାସହ ନିକଟସ୍ଥ ପୋଖରୀରୁ ଜଳଆଣି ଶମିବୃକ୍ଷ ଓ ବଟବୃକ୍ଷରେ ଜଳଲାଗି କରିଥିଲେ । ସେହିପରି ମୁଗୁପୁର, କୁଣ୍ଡିସାହି ଶନିମନ୍ଦିରରେ ମଧ୍ୟ ଭକ୍ତ ମାନଙ୍କ ପ୍ରବଳ ଗହଳି ହୋଇଥିଲା । ସେହିପରି ବଞ୍ଚୋ ଶନିଶ୍ଚର ମନ୍ଦିରରେ ବାର୍ଷିକ ପର୍ବ ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତୁ୍ୟଷରୁ ପବିତ୍ର ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ ପ୍ରଭୁଙ୍କ ପାଖରେ ସ୍ଥାପନ କରାଯାଇ ସମସ୍ତ ରିତୀଦୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ସେହିପରି ଘୋଷରାପଦା, ନୁଆରମ୍ପାସ, କପୁଣ୍ଡୀରେ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।