ହାଟଡିହି କଲେଜରେ ଦୁଇ ଛାତ୍ରଙ୍କ ମଧ୍ୟରେ ମାଡପିଟ, ଜଣେ ଗୁରୁତର
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜରେ ଆଜି ଦୁଇ ଛାତ୍ରଙ୍କ ଭିତରେ ମାଡପିଟ ଘଟି ଜଣେ ଆହତ ହୋଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ରେଫର କରାଯାଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତକାଲି କଲେଜରେ ଯୁକ୍ତ ୨ବିଜ୍ଞାନ ର ବିଶ୍ୱଜିତ ବାରିକ ନାମକ ଜଣେ ଛାତ୍ର ପାଟିତୁଣ୍ଡ କରୁଥିବାବେଳେ ଯୁକ୍ତ ଦୁଇ କଳାର ଛାତ୍ର ସୁବ୍ରତ ପାତ୍ର ଏହାକୁ ବିରୋଧ କରିଥିଲା । ଫଳରେ ଦୁଇଜଣଙ୍କ ମଧ୍ୟରେ ଗତକାଲି ଝଗଡା ହୋଇଥିଲା । ଆଜି ବିଶ୍ୱଜିତ ଅନ୍ୟ କିଛି ଯୁକ୍ତ ତିନିର ଛାତ୍ରଙ୍କୁ ସାଙ୍ଗରେ ଧରି ସୁବ୍ରତ କଲେଜ ଆସିବା ବାଟରେ ଅପେକ୍ଷା କରି ରହିଥିଲା । କଲେଜ ଗେଟ ଭିତରକୁ ପସିବା ସମୟରେ ବିଶ୍ୱଜିତ ଓ ତାର ସାଥିମାନେ ତାକୁ ପିଟାମରା କରିଥିଲେ । ସୁବ୍ରତ କଲେଜ ଭିତରେ ଯାଇ ପରୀକ୍ଷା ହଲରେ ବସିଥିବାବେଳେ ପରୀକ୍ଷା ଦେଇ ନପାରିବାରୁ କଲେଜର ଜଣେ କର୍ମଚାରୀ ତାଙ୍କୁ ପଚରା ଉଚୁରା କରିବାପରେ ଅଧ୍ୟକ୍ଷ ତାଙ୍କୁ ପ୍ରଥମେ ହାଟଡିହି ଡାକ୍ତରଖାନା ପଠାଇଥିଲେ । ପରେ ସୁବ୍ରତଙ୍କ ପରିବାର ଲୋକେ ପହଞ୍ଚିି ତାଙ୍କୁ ଆମ୍ବାଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାଙ୍କୁ କଟକ ରେଫର କରିଥିବା ଜଣାଯାଇଛି । ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ଚିକତ୍ତରଞ୍ଜନ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଘଟଣାଟି କଲେଜ ବାହାରେ ଘଟିଛି । ଆମେ ଯେତେବେଳ ଜାଣିଲୁ ସଙ୍ଗେ ସଙ୍ଗେ ମେଡିକାଲ ପଠାଇଥିଲୁ । କିନ୍ତୁ ମାଡ ମାରିଥିବା ଛାତ୍ର ଜଣକ ମଧ୍ୟ ପରୀକ୍ଷା ନଦେଇ କଲେଜ ଛାଡି ପଳାଇଥିବା ସେ କହିଛନ୍ତି ।