ହାଟଡିହି, ଛେନାପଦି ଅଞ୍ଚଳରେ ଏଟିଏମ ସେବା ବିଫଳ, ମାସରେ ୨୪ଦିନ ବନ୍ଦ

ହାଟଡ଼ିହି : ଏବେ ଘରେ ଘରେ ବ୍ୟାଙ୍କ ସେବା ଯୋଗାଇ ଦେବା ସହିତ ଗ୍ରାହକମାନେ କିପରି ସହଜରେ ବ୍ୟାଙ୍କ ସେବା ପାଇପାରିବେ ସେନେଇ ପ୍ରତିଛକ ବଜାର ମାନଙ୍କରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଖୋଲାଯାଇଛି ଏଟିଏମ କାଉଣ୍ଟର । କିନ୍ତୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଅନେକ ଏଟିଏମ ଥିଲେ ମଧ୍ୟ ଏହି କାଉଣ୍ଟର ଗୁଡିକ ମାସରେ ୨୪ଦିନ ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରରୁ ଜଣାଯାଇଛି ଛେନାପଦିଛକଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଏଠାରେ ୪ଟି ଏଟିଏମ କାଉଣ୍ଟର ରହିଛି । ଗୋଟିଏ ବ୍ୟାଙ୍କ ଅଫ ଇଣ୍ଡିଆର, ଗୋଟିଏ ଷ୍ଟେଟବ୍ୟାଙ୍କର, ଗୋଟିଏ କେସିସି ବ୍ୟାଙ୍କର, ଗୋଟିଏ ଟାଟା ଇଣ୍ଡିକେସ ଏଟିଏମ । ଚାରି ଚାରଟି ଏଟିଏମ ଥିଲେବି ମାସକରେ ମାତ୍ର ଦିନେ ଦୁଇଦିନ ଏହି କାଉଣ୍ଟରରୁ ସେବା ମିଳି ପାରୁଛି । କେସିସି ବ୍ୟାଙ୍କ ଏଟିଏମ କାଉଣ୍ଟର ଟି ଉଦଘାଟନ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ମାତ୍ର ଦୁଇଦିନ ବି ଏହା କାର୍ଯ୍ୟକ୍ଷମ ହୋଇନାହିଁ । ସେହିପରି ବଉଳାରୋଡରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଟି ମାସମାସ ହେଲା ଖରାପ ହାଇ ପଡିଛି । ସେହିପରି କଲେଜଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମଟି ମାସରେ ଥରେ ଦୁଇଥର ଟଙ୍କା ଭର୍ତ୍ତି କରାଯାଉଥିବାବେଳେ ତାହା ମାତ୍ର ଦିନେ କି ଦୁଇଦିନ ଚାଲୁଛି । ତାପରେ ଟଙ୍କା ନଥିବାରୁ ବନ୍ଦ ହୋଇ ପଡୁଛି । ସେହିପରି ଟାଟା ଇଣ୍ଡିକେସ ଏଟିଏମରୁ ଗତ ଏକମାସ ତଳେ ଟଙ୍କା ଲୁଟ ହେବାପରେ ସେଥିରେ ଆଉ ଟଙ୍କା ଭରାଯାଉ ନାହିଁ । ଫଳରେ ଚାରି ଚାରଟି ଏଟିଏମ ଥାଇ ମଧ୍ୟ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସେହିପରି ହାଟଡିହି, ବଞ୍ଚୋ, ଶାଳଣିଆଁ, ଢ଼େଙ୍କା, ବଞ୍ଚୋ, ବିଦ୍ୟାଧରପୁର, ଓରାଳିରେ ମଧ୍ୟ ସମାନ ଅବସ୍ଥା । ହାଟଡିହିରେ ଥିବା ତିନୋଟି ଏଟିଏମ ଯାହା ଚାଲିଛି ତାହା ପର୍ଯ୍ୟାପ୍ତ ହେଉ ନଥିବାରୁ ଗ୍ରାହକମାନେ ଟଙ୍କା ଉଠାଇବା ପାଇଁ ହିନସ୍ଥା ହୋଇ ଆନନ୍ଦପୁର ଅଥବା ବନ୍ତ ଯିବାକୁ ପଡୁଛି । ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ