ହାଟଡିହି ପଞ୍ଚାୟତ ସମିତିର ଦ୍ୱାଦଶ ବୈଠକ, ସମିତିସଭ୍ୟ ସଭ୍ୟାଙ୍କୁ ଅବହେଳା ପ୍ରତିବାଦରେ କମ୍ପିଲା ସଭାଗୃହ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ପଞ୍ଚାୟତ ସମିତିର ଦ୍ୱାଦଶ ବୈଠକ ଆଜି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ଜୟଦେବ ଦାସ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ବିଧାୟକଙ୍କ ପ୍ରତିନିଧି ବିଜୟ କୁମାର ରାଉତ, ସାଂସଦ ପ୍ରତିନିଧି ନନ୍ଦୁଚରଣ ଜେନା, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିପିଓ ନବୀନ ଚନ୍ଦ୍ର ନାୟକ ସ୍ୱାଗି ଭାଷଣ ଦେବାସହ ପୁର୍ବସଭାର ବିବରଣୀ ପାଠ କରିଥିଲେ । ସମିତି ସଭ୍ୟ ସଭ୍ୟା ମାନଙ୍କୁ କୌଣସି କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉ ନଥିବା ଏପରିକି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସବୁ ସ୍ଥାନରେ ସେମାନଙ୍କୁ ଅବହେଳା କରାଯାଉଥିବା ପ୍ରତିବାଦରେ ଆଜି ସମିତିସଭ୍ୟ ମାନେ ପଞ୍ଚାୟତ ସମିତି ବୈଠକରେ ପାଟିତୁଣ୍ଡ କରିଥିଲେ । ଏପରିକି ସେମାନେ ନିର୍ବାଚିତ ପ୍ରତିନିଧି ହୋଇଥିଲେ ମଧ୍ୟ ସେମାନଙ୍କୁ ବ୍ଲକ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ କୌଣସି ଯାଗାରେ ପଚରା ଯାଉ ନଥିବା ଅଭିଯୋଗ କରିଥିଲେ । ଏଥିପାଇଁ ସେମାନେ ସାମୁହିକ ଭାବେ ଇସ୍ତଫା ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । ପଞ୍ଚାୟତରେ ହେଉଥିବା ଉନ୍ନୟନ କାର୍ଯ୍ୟ ହେଉ କିମ୍ବା ବ୍ଲକ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକରେ ସେମାନଙ୍କ ମତାମତ ବି ନିଆଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ ।
ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ସହକାରୀ କୃଷି ଅଧିକାରୀ ସୁମିତ କୁମାର ସେଠୀ ବ୍ଲକରେ କାର୍ଯ୍ୟକାରୀ ହେଉଥିବା କୃଷି ବିଭାଗର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ଶିକ୍ଷା ବିଭାଗ ସମ୍ପର୍କରେ ହୋଇଥିବା ଆଲୋଚନାରେ ଏବିଇଓ ଧନେଶ୍ୱର ଖଣ୍ଡେଇ ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ସୁଚନା ଦେଇଥିଲେ । ବ୍ଲକରେ ୨୩ଟି ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ହେଉଥିବା ନେଇ ସୁଚନା ଦେଇଥିଲେ । ସ୍କୁଲ ମିଶ୍ରଣ ତାଲିକାକୁ ପୁନଃ ତଦନ୍ତ କରାଯିବାକୁ ସଭ୍ୟସଭ୍ୟା ମାନେ ଦାବି କରିଥିଲେ । ସେହିପରି ହାତୀ ଉପଦ୍ରବ ଆଦିବାସୀ ଅଞ୍ଚଳରେ ଥିବା ସ୍କୁଲ ଗୁଡିକର ପାଚେରୀ ନିର୍ମାଣ କରାଯିବା ନେଇ ତାଲିକା ପଠାଇବାକୁ ନିଷ୍ପତି ନିଆଯାଇଥିଲା । ସେହିପରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କନିଷ୍ଠଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା ହାଟଡିହି ବ୍ଲକରେ ଚାଲିଥିବା ଦୁଇଟି ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଗୋଟିଏ ମାର୍ଚ୍ଚ ମାସ ସୁଧା ଓ ଅନ୍ୟଟି ୨୦୨୨ରେ ସମାପ୍ତ ଜଳଯୋଗାଣ କରାଯିବ ବୋଲି ସୁଚନା ଦେଇଥିଲେ । ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୬ଟି ଗ୍ରାମରେ ଅଙ୍ଗନବାଡି ଘର ନିର୍ମାଣ ହେଉ ନଥିବା ନେଇ ହାଟଡିହି ସୁପରଭାଇଜର ଜ୍ୟୋତ୍ସାମୟୀ ଜେନା ସୁଚନା ଦେଇଥିଲେ । ସେଗୁଡିକୁ କିପରି ଶୀଘ୍ର ଆରମ୍ଭ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜସ୍ୱ ବିଭାଗ ପକ୍ଷରୁ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ବସୁନ୍ଧରା ଯୋଜନା କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ଉନ୍ନୟନ କାର୍ଯ୍ୟ ପାଇଁ ହେବାକୁ ଥିବା ଜମିଚିହ୍ନଟ ପ୍ରକ୍ରୀୟା ତୁରନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଟୁକୁଣା ମେଡିକାଲ ପରିସରରେ ରହିଥିବା କିଛି ବ୍ୟକ୍ତିଙ୍କୁ ଅନ୍ୟତ୍ର ଥଇଥାନ କରାଯାଇ ପାଚେରୀ ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପରେ ଯୋଗାଣ ବିଭାଗ ପକ୍ଷରୁ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପିଡିଏସ ସାମଗ୍ରୀର ସୁଶମ ବଣ୍ଟନ ଓ ଧାନକିଣା ସମ୍ପର୍କରେ ଆଲୋକପାତ କରିଥିଲେ । ନିୟମିତ ପ୍ରତିମାସର ରାସନ ସାମଗ୍ରୀ ନନେଲେ ତାହା ଫେରସ୍ତ ହୋଇଯିବ ବୋଲି ଯୋଗାଣ ଅଧିକାରୀ ସୁଚନା ଦେଇଥିଲେ । ହାଟଡିହି ବ୍ଲକରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସଭ୍ୟମାନେ ଅଭିଯୋଗ କରିଥିଲେ । ଚାଷୀଙ୍କ ଠାରୁ ମଣ୍ଡିରେ ଧାନ କିଣା ନଯାଇ ସେମାନଙ୍କୁ ମିଲରଙ୍କ ନିକଟକୁ ଯିବାକୁ ବାଧ୍ୟ କରାଯାଉଛି ମିଲରମାନେ ମନଇଛା ୮ରୁ ୧୦କିଲୋ ଲେଖାଏଁ ଧାନ କାଟୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଭ୍ୟମାନେ ଦାବି କରିଥିଲେ । ସେହିପରି ବ୍ଲକକୁ ଆସିଥିବା ଅନୁଦାନକୁ ତୁରନ୍ତ ସମିତିସଭ୍ୟ ମାନଙ୍କ ମାଧ୍ୟମରେ ପ୍ରକଳ୍ପ ତାଲିକା ସଂଗ୍ରହ କରାଯାଇ କାର୍ଯ୍ୟାଦେଶ ଦେବାନିମନ୍ତେ ନିଷ୍ପତି ହୋଇଥିଲା । ସେହିପରି ପଞ୍ଚାୟତ ସମିତିର ବିଭିନ୍ନ ରାସ୍ତାକୁ ଗ୍ରାମ୍ୟଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ଉପରେ ବିଧାୟକଙ୍କ ପ୍ରତିନିଧି ବିଜୟ ରାଉତ ଆଲୋଚନା କରିଥିଲେ । ବାଲିବରେଇ ପଞ୍ଚାୟତରେ ଆବାସ ଯୋଜନା ଠିକା ନେଇଥିବା ଏଜେନେସି କାମ ଅଧାପନ୍ତରିଆ କରି ପକାଇ ଥିବାରୁ ଘରକାର୍ଯ୍ୟ ସମ୍ପୁର୍ଣ୍ଣ ହୋଇପାରୁନି ବୋଲି ଉପାଧ୍ୟକ୍ଷ ଆଲୋଚନା କରିଥିଲେ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ବିଡିଓ ସୁଚନା ଦେଇଥିଲେ । ହରକୁମାର ନାୟକ,ହରେକୃଷ୍ଣ ପ୍ରଧାନ, ସୁବ୍ରତ କୁମାର ନାୟକ, ପ୍ରଶାନ୍ତ କୁମାର ସେଠୀ, କୋଦଣ୍ଡଧର ପଣ୍ଡା, ଅବିନାଶ ପତି, ଜ୍ୟୋତିରଞ୍ଜନ ମିଶ୍ର, ଜୀବନ ରାଉତ, ରାଜେଶ କୁମାର ସାହୁ, ବିନୋଦ ବିହାରୀ ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଓ ବ୍ଲକର ସହକାରୀଯନ୍ତ୍ରୀ,ସମସ୍ତ କନିଷ୍ଠଯନ୍ତ୍ରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ