ହାଟଡିହି ବ୍ଲକରେ ମିଳୁନି ଭତ୍ତା, ଭତ୍ତାକୁ ଚାହିଁ ଚାହିଁ ଆଖିବୁଜିଲା ଶ୍ରୀଧର 

ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବୃଦ୍ଧ, ବୃଦ୍ଧା, ବିଦ୍ଧବା ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁକରିଛନ୍ତି । ୬୦ବର୍ଷରୁ ଉର୍ଦ୍ଧ ଗରବି ବୃଦ୍ଧ, ବୃଦ୍ଧା, ନିରାଶ୍ରୟ ମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ ରଖିଥିବାବେଳେ ହାଟଡିହି ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବ୍ଲକରେ ଅନେକ ଅଯୋଗ୍ୟ ଓ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଦିଆଯାଉଥିବାବେଳେ କିଛି ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହେଉଛନ୍ତି । ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ ରେ ଅନେକ ଯୋଗ୍ୟ ବ୍ୟକ୍ତି ଆଜକୁ ତିନି ଚାରି ବର୍ଷ ହେଲା ଭତ୍ତା ପାଇଁ ଆବେଦନ କରୁଥିଲେବି ସେମାନଙ୍କୁ ଭତ୍ତା ମିଳିପାରିନି । କିନ୍ତୁ ଅନେକ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗ୍ୟ ଦେଖାଇ ବ୍ଲକରୁ ଭତ୍ତା ଅନୁମୋଦନ କରାଯାଇଛି ।  ଏ ସମ୍ପର୍କରେ ‘ସମ୍ବାଦ’ରେ ଗତ ୨୫/୩/୨୦୨୨ରେ ଏକ ବିସ୍ତୃତ ଖବର ସମ୍ବାଦରେ ପ୍ରକାଶ ପାଇବାପରେ ବ୍ଲକର ତତକାଳୀନ ବିଡିଓ ଅତିଶୀଘ୍ର ସେମାନଙ୍କୁ ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପଢ଼ିଆରିପଲ୍ଲୀ ପଞ୍ଚାୟତ ଦନେଇପୁର ଗ୍ରାମର ଶ୍ରୀଧର ବିଶ୍ୱାଳ ଅତ୍ୟନ୍ତ ଗରିବ ଆଦିବାସୀ ଶ୍ରେଣୀର ଓ ଦିନ ମଜୁରିଆ । ସେ ଜଣେ ଭୁମୀହୀନ ପରିବାର ମଧ୍ୟ । ସେ  ୬୯ବର୍ଷରେ ପାଦ ଥାପିଥିବା ବେଳେ ପୁର୍ବଭଳି ଆଉ କାମଦାମ କରିପାରୁ ନଥିଲେ । ଫଳରେ ଅର୍ଦ୍ଧାହାରରେ ଦିନ କାଟୁଥିଲେ । ସେ ଭତ୍ତା ଯୋଜନାରେ ସାମିଲ ହେବାପାଇଁ ବାରମ୍ବାର ଆବେଦନ କରି ଆସୁଥିଲେବି ତାଙ୍କ ଆବେଦନ ଫର୍ମ କେଉଁଆଡେ ଗାଏବ ହୋଇଯାଏ ।  ସେ ଏନେଇ ଅନେକବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଳକକୁ ଦୌଡୁଥିଲେ ମଧ୍ୟ କେହି ତାଙ୍କ ଦୁଃଖ ବୁଝୁ ନାହାନ୍ତି ବୋଲି କହିଥିଲେ । ଖବର ପ୍ରକାଶ ପାଇବାପରେ ବିଡିଓଙ୍କ ପରାମର୍ଶ କ୍ରମେ ଗତ ଏପ୍ରିଲ ମାସରେ ଭତ୍ତା ପାଇଁ ପୁନର୍ବାର ଆବେଦନ କରିଥିଲେ । ଅନେକ ଆଶାଥିଲା ମାସେ କି ଦୁଇମାସ ଭିତରେ ମିଳିଯିବ । କିନ୍ତୁ ଭତ୍ତା ମିଳିବା ପୁର୍ବରୁ ସେ ଆର ପାରିକୁ ଚାଲିଗଲେ । ଖାଲି ସେ ନୁହଁନ୍ତି ଆହୁରି ଅନେକ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇଁ ଆବେଦନ କରିଥିଲେବି ତାଙ୍କୁ ଆଜି କାଲି କହି ସମୟ ଗଡାଯାଉଛି । ତା ଭିତରେ ଆଉ କିଛି ବ୍ୟକ୍ତି ମଧ୍ୟ ଶଯ୍ୟାଶାୟୀ ଅଛନ୍ତି । ସେମାନେ ମୃତୁ୍ୟ ପୁର୍ବରୁ ଭତ୍ତା ପାଇବେ ତ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପଞ୍ଚାୟତରେ ଗତ ତିନିମାସ ତଳେ ଅନେକ ମୃତ ବ୍ୟକ୍ତିଙ୍କୁ ଭତ୍ତା ଦିଆଯାଉଥିବାବେଳେ ଜୀବୀତ ଲୋକଙ୍କୁ ଭତ୍ତା ଦେବାରେ କଣ ଅସୁବିଧା ସୃଷ୍ଟି ହେଉଛି ବୋଲି ସମାଜସେବୀ ଅମୁଲ୍ୟ ମିଶ୍ର ପ୍ରଶ୍ନ କରିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ