ହାଟଡିହି ବ୍ଲକରେ ଶିକ୍ଷା ବ୍ୟବସ୍ଥା, କର୍ମଚାରୀଙ୍କ କବଜାରେ କାର୍ଯ୍ୟାଳୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ, ତହସିଲ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ମଧ୍ୟ ଏଥିରୁ ବାଦ ପଡିନି । ବ୍ଲକରେ ଉନ୍ନୟମ ମୁଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବାବେଳେ ଏଠାରେ ଶିକ୍ଷକ ନିଯୁକ୍ତିରେ ବ୍ୟବାପକ ଅନିୟମିତତା ଦେଖିବାକୁ ମିଳିଛି । ଏବେ ଯେ ଡେପୁଟେସନରେ ଯେଉଁ ସ୍କୁଲକୁ ଯିବାକୁ ଚାହୁଁଛି ଜଣେ କର୍ମଚାରୀ ମୋଟା ଅଙ୍କର ବଟିନେଇ ଅଧିକାରୀଙ୍କ ଦ୍ୱାରା ସେହି କାର୍ଯ୍ୟକୁ ଅତି ସହଜରେ ମାତ୍ର କେଇ ମିନିଟି ଭିତରେ କରିଦେଉଛନ୍ତି । ଯାହାକି ସମ୍ପୁର୍ଣ୍ଣ ବେଆଇନ ଅଟେ । ଏବେ ଏହି ବ୍ଲକରେ ଶିକ୍ଷାଜିଲ୍ଲା ଅଧିକାରୀ ପଦବୀ ଖାଲି ପଡିଥିବାରୁ ତାହାର ସୁଯୋଗ ନେଇ ଯେ କୌଣସି ଫାଇଲଟିଏ ଦସ୍ତଖତ କରିବାକୁ ହେଲେ ମୋଟା ଅଙ୍କର ଖର୍ଚ୍ଚ ହେଉଛି । ଜଣେ ଦୁଇଜଣ କର୍ମଚାରୀ ମେରି ରାୟ ନୀତିରେ ଅଫିସଟିକୁ ଚଳାଉଥିବାବେଳେ ଏଠାରେ ନିଯୁକ୍ତ ଥିବା ଦୁଇଜଣ ଏବିଇଓ ମଧ୍ୟ ହାତ ଟେକି ଦେଉଛନ୍ତି । ଯାହାକୁ କି ସାଧାରଣ ଶିକ୍ଷକ ମାନେ ବିରୋଧ କରୁଥିଲେବି ଭୟରେ ସେହି କର୍ମଚାରୀଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ କେହି ରାଜି ହେଉ ନାହାନ୍ତି । ଏପରିକି ବ୍ଲକରେ ଗତ କିଛଇଦିନ ତଳେ ୫୪ଜଣ ଶିକ୍ଷକ ଡେପୁଟେସନରେ ଥିବାବେଳେ ଏବେ ତାହା ଶହେ ଟପିଲାଣି ।ହାଟଡିହି ବ୍ଲକରେ ଜଣେ ଶିକ୍ଷକ ଦୁଇ ଦୁଇଟି ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ କେଉଁ ସ୍କୁଲକୁ କେତେବେଳେ ଯାଆନ୍ତି ତାହା କେହି ଜାଣନ୍ତିନି ।ଏପରିକି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏବିଇଓ ମଧ୍ୟ ଜାଣି ନାହାନ୍ତି । ସୁଚନାରୁ ଜଣାଯାଇଛି ଯେ ବରାଙ୍ଗ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଶିକ୍ଷକ କପିଳ ଚରଣ ପ୍ରଧାନ କାର୍ଯ୍ୟ କରୁଥିବାବେଳେ ଗତ ଦେଢ଼ ବର୍ଷ ପୁର୍ବେ ସେ ବିଇଓଙ୍କ କାର୍ଯ୍ୟାଳୟର ଜଣେ ଚତୁର କର୍ମଚାରୀଙ୍କ ସହଯୋଗରେ ୨୦କିଲୋମିଟର ଦୁରରେ ଥିବା ଚଣ୍ଡୀମାତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାମ୍ପଳାକୁ ଡେପୁଟେସନରେ ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଶିକ୍ଷକଙ୍କ ଲେବୁଲ- ଫୋର କୁ ପଦୋନ୍ନତି ହୋଇଥିଲା । ସେ ପୁନର୍ବାର ସେହି ବରାଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବେ ବୋଲି ବାଛିଥିଲେ ଓ ସେଠାରେ ଯାଇ ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ଦାୟିତ୍ୱ ଗ୍ରହଣର ଦିନ କେଇଟା ଭିତରେ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସେହି ଚତୁର କର୍ମଚାରୀଙ୍କୁ ହାତକରି ପୁଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାମ୍ପଳାକୁ ଡେପୁଟେସନରେ ପଳାଇବାରେ ସକ୍ଷମ ହୋଇଥିଲେ । ସେଠାରେ ଯାଇ ସେ ପ୍ରଧାନ ଶିକ୍ଷକର ଦାୟିତ୍ୱ ନିର୍ବାହ କରିଥିଲେ । କିନ୍ତୁ ବରାଙ୍ଗ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ କାହାରିକୁ ହସ୍ତାନ୍ତର କରିନଥିଲେ । ଜଣେ ଶିକ୍ଷକ ଦୁଇ ଦୁଇଟି ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହିତ ଦୁଇ ଦୁଇଟି ସ୍କୁଲର ମଧ୍ୟାହ୍ନ ଭୋଜନ, ସମଗ୍ର ଶିକ୍ଷା, ଏସ.ଆଇ.ଜି, ଏମ.ଆଇ.ଜି ଆଦି ଅନୁଦାନକୁ ଉଠାଇ ଖର୍ଚ୍ଚ କରୁଛନ୍ତି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେବି ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ସମ୍ପୁର୍ଣ୍ଣ ଆଖି ବୁଜି ଦେଇଛନ୍ତି । ବରାଙ୍ଗ ସ୍କୁଲରେ ୫ଟି ଶ୍ରେଣୀପାଇଁ ମାତ୍ର ଦୁଇଜଣ ଶିକ୍ଷକ ଥିବାବେଳେ ଏହି କରିତକର୍ମା ପ୍ରଧାନ ଶିକ୍ଷକଙ୍କୁ କିପରି ଡେପୁଟେସନରେ ଅନ୍ୟ ସ୍କୁଲକୁ ଅଣାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବରାଙ୍ଗ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଦାନ ସମ୍ପୁର୍ଣ୍ଣ ବ୍ୟାହତ ହେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଏହି ପ୍ରଧାନ ଶିକ୍ଷକ ଜଣକ ମାସରେ ଥରେ ଦୁଇଥର ଯାଇ କେବଳ ମଧ୍ୟାହ୍ନ ଭୋଜନ କଥା ବୁଝିଦେଇ ଆସନ୍ତି । ଅନ୍ୟ ଦିନ ମାନଙ୍କରେ ସେ କଣ କରନ୍ତି କେଉଁଠାକୁ ଯାଆନ୍ତି ତାର କିଛି ହିସାବ ନଥାଏ । ସେହିପରି ତାମ୍ପଳା ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ସେଠାକୁ ମଧ୍ୟ ମନଇଛା ଯିବା ଆସିବା କରନ୍ତି । ଦୁଇ ଦୁଇଟି ସ୍କୁଲର ପ୍ରଧାନ ଶିକ୍ଷକ ଥିବାରୁ କେହି ଅଧିକାରୀ ମଧ୍ୟ ତାଙ୍କ ସ୍କୁଲ ପରିଦର୍ଶନ କରି ନାହାନ୍ତି । ଯଦି ଜଣେ ଶିକ୍ଷକ ଦୁଇ ଦୁଇଟଇ ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ରହିପାରୁଛନ୍ତି ତେବେ ଅନ୍ୟ ଶିକ୍ଷକ ମାନଙ୍କ କ୍ଷେତ୍ରରେ ତାହା କାହିଁକି ପ୍ରଜୁଯ୍ୟ ନହେବ ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି ପ୍ରଧାନ ଶିକ୍ଷକ । ଏ ସମ୍ପର୍କରେ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ବାବଦରେ ମୁଁ ଆଗରୁ ଜାଣି ନଥିଲି । ଜଣେ ବ୍ୟକ୍ତି କେବେ ଦୁଇଟି ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ପାରିବେନି, କିନ୍ତୁ ଏଠି କେଉଁ ପରିସ୍ଥିତିରେ ଏପରି ହୋଇଛି ତାହା ତଦନ୍ତ ହେଲେ ଜଣାପଡିବ ବୋଲି କହିଛନ୍ତି । ସେହିପରି ଅନ୍ୟତମ ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା କହିଛନ୍ତି ଯେ ପୁର୍ବତନ ବିଇଓଙ୍କ ସମୟରେ ଏପରି ହୋଇଛି, ବିଇଓ କରିଛନ୍ତି ଆମେ ବା କଣ କରିପାରିବୁ ବୋଲି ସେ କହିଛନ୍ତି । ସେହିପରି ସଂପୃକ୍ତ ପ୍ରଧାନ ଶିକ୍ଷକ କପିଳ ଚରଣ ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯାହା କରିଛନ୍ତି ବିଇଓ କାର୍ଯ୍ୟାଳୟ ମୋତେ ଯାହା ନିର୍ଦ୍ଦେଶ ଦେଇଛି ସେହି ଅନୁସାରେ ମୁଁ କାର୍ଯ୍ୟ କରୁଛି । ଏଣୁ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏହାର ତଦନ୍ତ କରିବା ସହିତ ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ