ହାଟଡିହି ବ୍ଲକ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଡି ଶିବିରରେ ମାତ୍ର ୮୯ଟି ଅଭିଯୋଗ ହୋଇଥିବାବେଳେ ଏହି ଅଭିଯୋଗ ଶୁଣାଣି ସମ୍ପର୍କରେ ସାଧାରଣ ଲୋକମାନେ ଜାଣି ନଥିବାରୁ ଅଭିଯୋଗ କାରୀଙ୍କ ସଂଖ୍ୟା ବହୁ ନଗନ୍ୟ ହୋଇଯାଇଥିଲା । ବିଡିଓ ବିନିତା ବିଜୟିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ର, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଡାକ୍ତର ଅଧିକାରୀ କିଶୋର ପୃଷ୍ଟି, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣିରେ ନନ୍ଦିପଦା ନିକଟରେ ରେବନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ନନ୍ଦିପଦା ଗ୍ରାମର ଭଗବାନ ରାଉତ ଅଭିଯୋଗ କରିଥିଲେ । ରେବ ନଦୀ ଉପରେ ପୋଲ ନଥିବାରୁ ଗ୍ରାମର ଚାଷୀମାନେ ନଦୀ ଆରପଟେ ଥିବା ୩୦୦ଏକରରୁ ଉର୍ଦ୍ଧ ଚାଷଜମିକୁ ଯାଇ ଚାଷକର୍ଯ୍ୟ କରିବା ସମ୍ଭବପର ହେଉ ନଥିବା ନେଇ ସେ ଅଭିଯୋଗ କରିଥିଲେ । ସେହିପରି ଶାଳଣିଆଁର ସମାଜସେବୀ ଯୋଗେନ୍ଦ୍ର ବେହେରା, ସମିତିସଭ୍ୟ ଦିବ୍ୟରଞ୍ଜନ ଜେନା ଓ ଆଉ କିଛି ଗ୍ରାମବାସୀ ଶାଳଣିଆଁ ଡାକ୍ତରଖାନାରେ ଡାକ୍ତା ଅଭାବ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ କାଗଜ କଲମରେ ୫ଜଣ ଡାକ୍ତର ନିଯୁକ୍ତି ଥିଲେବି ମାତ୍ର ଦୁଇଜଣ ଡାକ୍ତର ଆସୁଛନ୍ତି । ଆଉ ତିନିଜଣ ଡାକ୍ତରଙ୍କ କେବେବି ଦେଖା ମିଳୁନି । ତେଣୁ ସେହି ଡାକ୍ତରମାନେ ଗଲେ କୁଆଡେ ଏହାର ତଦନ୍ତ କରି ତୁରନ୍ତ ଅଧିକ ଡାକ୍ତର ନିଯୁକ୍ତି କରିବାକୁ ସେମାନେ ଜିଳ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ସେହିପରି ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ର।।ନ୍ତ ରାଉତ ବଞ୍ଚୋ ମୌଜାରେ ୭୩ଏକର ବଗାୟତ କିସମର ଜମି ଥିବାବେଳେ ତାହାକୁ କିଛି ମୁଷ୍ଟିମେୟ ଲୋକ ଜବର ଦଖଲ କରିନେଇଛନ୍ତି ଓ ୩୦ରୁ ଉର୍ଦ୍ଧ ପୋଖରୀ ଥିବାବେଳେ ତାକୁ ମଧ୍ୟ ଜବରଦଖଲ କରିନେଇଛନ୍ତି । ଯାହା ଫଳରେ ପଞ୍ଚାୟତ ପକ୍ଷରୁ ଏସବୁକୁ ନିଲାମ ଦେବାକୁ ôତଲେବି ନିଲାମ କରାଯାଇପାରୁ ନାହିଁ । ଯାହାଦ୍ୱାରାକି ପଞ୍ଚାୟତର ରୋଜଗାରର ମାଧ୍ୟମ ସବୁ ବନ୍ଦ ହୋଇଯାଇଛି ବୋଲି ସେ ଅଭିଯୋଗ କରିଥିଲେ । ସେହିପରି ମରୈଗାଁ ଗ୍ରାମରେ ଅନେକ ପତିତ କିସମର ଜମିକୁ ଅନେକ ଲୋକ ନିଜ ନାମରେ କରିନେଇ ଯାଇଥିବା ଅଭିଯୋଗ କରିବା ସହିତ କେତେକ ଜବରଦକଲ ଉଚ୍ଛେଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଥିଲେବି ତାହାକୁ କାହିଁକି ଉଚ୍ଛେଦ କରାଯାଉ ନାହିଁ ସେନେଇ ଅଭିଯୋଗ କରିଥିଲେ । ସେହିପରି ମରୈଗାଁ ଗ୍ରାମର ଭଗବାନ ଜେନା ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଫାଇଲେରିଆ ରୋଗରେ ପଡି ୨୫ବର୍ଷ ହେଲା ଗୋଡ ହରାଇ ଘରେ ପଡି ରହିଥିବାବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ନପାଇ ପାରିବା ନେଇ ଅଭିଯୋଗ କରିଥିଲେ । ଏଡି ଶୁଣାଣିରେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ଏସଡିପିଓ ପ୍ରଶାନ୍ତ ବେହେରା, ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


