ହାଟଡିହି ସବରେଜିଷ୍ଟର ଅଫିସରେ ଜମି କବଜା କରିବାକୁ ନେଇ ଅସନ୍ତୋଷ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ସବରେଜିଷ୍ଟାର ଅଫିସରେ ଜମି କବଲା କରିବା ସମୟ ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଲୋକମାନେ ବହୁ ଦୁର ଦୁରାନ୍ତରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି କବଲା କରିବାକୁ ଅସୁଥିବାବେଳେ ଅଧିକାରୀ ମାନେ ମନା କରିଦେଉ ଥିବାରୁ ଲୋକମାନେ ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେଉଁ କେଉଁ ଦିନ ଜମିବାଡି ବିକ୍ରୀବଟା ନେଇ ରେଜିଷ୍ଟେସନ କରାଯିବ ସେନେଇ କାର୍ଯ୍ୟାଳୟ ପରିସରରେ କୌଣସି ସୁଚନା ଫଳକ ଲଗାଯାଇ ନଥିବାରୁ ଲୋକମାନେ କୌଣସି ସୁଚନା ପାଇ ପାରୁ ନାହାନ୍ତି । ଆଜି ବାଲେଶ୍ୱରର ସିଦେ୍ଧଶ୍ୱରୀ ପାଲ, କଟକର ମଧୁମିତା ସେନ, କଟକ ର ଭାନୁମତୀ ସାହା, କଟକର ରାନୁ ଦାସ, ଆନନ୍ଦପୁରର ସନ୍ତୋଷ ରାମ, ପରିତୋଷ ରାମ, କାଠିଆସରା ଗ୍ରାମର ହିମାଶୁଂ ଶେଖର ସାମଲ, ଚନ୍ଦ୍ର ଶେଖର ସାମଲ, ଦୟାନିଧି ସାମଲ ପ୍ରମୁଖ ଆସିଥିବାବେଳେ ସବରେଜିଷ୍ଟର ଅଧିକାରୀ ତଥା ଅତିରିକ୍ତ ତହସିଲଦାର ତାଙ୍କୁ ଆଜି ରେଜିଷ୍ଟେସନ କରାଯିବ ନାହିଁ ବୋଲି ମନା କରିଦେଇଥିଲେ । ଆମେ ବହୁ ଦୁରଦୁରାନ୍ତରୁ ଗାଡି ଭଡାକରି ଆସିଛୁ ଯେପରି ହେଲେ ଆଜି ରେଜିଷ୍ଟେସନ କରିଦିଅନ୍ତୁ ବୋଲି ବହୁ କାକୁତି ମିନତୀ ହୋଇଥିଲେବି ଅଧିକାରୀ ଜଣକ କେବଳ ସୋମବାର, ବୁଧବାର ଓ ଶୁକ୍ରବାର କବଲା କରାଯିବ ବୋଲି କହି ଫେରାଇ ଦେଇଥିଲେ । ଯାହାକୁ ନେଇ ସେଠାରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ସପ୍ତାହକୁ ଯଦି ତିନିଦିନ ଜମିବାଡି ରେଜିଷ୍ଟେସନ କରାଯିବ ତେବେ ତାହାର ସୁଚନା ଫଳକ କିମ୍ବା ନୋଟିସ ବୋର୍ଡରେ ତାହା ଲଗାଯାଉ ନାହିଁ କାହିଁକି ବୋଲି ମହିଳାମାନେ ପ୍ରଶ୍ନ କରିଥିଲେ । କଣପାଇଁ ସାଧାରଣ ଲୋକଟିଏ ଆସି ଫେରିବ । ସେହିପରି ଅଧିକାଶଂ ସମୟରେ ଏଠାରେ ନେଟୱାର୍କ ରହୁ ନଥିବାରୁ ଲୋକମାନେ ଗଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବସୁଛନ୍ତି । ଏପରିକି ଗୋଟିଏ ଗୋଟିଏ ରେଜିଷ୍ଟେସନ ପାଇଁ ଦୁଇ ତିନିଥର ଆସିବାକୁ ପଡୁଛି । ତେବେ ଏସବୁର ସମାଧାନ ନିମନ୍ତେ ଏଠାରେ ସପ୍ତାହର ୬ଦିନ ଅର୍ଥାତ ସମସ୍ତ କାର୍ଯ୍ୟ ଦିବସରେ ଜମି କିଣାବିକାର ରେଜିଷ୍ଟେସନ କରାଯିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ କବଲା ପାଇଁ କୌଣସି ନିଦ୍ଦିଷ୍ଟ ଦିନଧାର୍ଯ୍ୟ ହୋଇନାହିଁ । ସବୁଦିନେ ରେଜିଷ୍ଟେସନ କରାଯାଉଛି । ଆଜି କିନ୍ତୁ ଏଡିଜେ କୋର୍ଟରେ ଏକ ତାରିଖ ଥିବାବେଳେ ଆରଡିସିଙ୍କ ରିଭୁ୍ୟ ମିଟିଂ ଥିଲା । ତେଣୁ ମୋତେ ସେଠାକୁ ଯିବାକୁ ପଡିଲା, କବଲା କରିବା ପାଇଁ ମୋ ପାଖରେ ସମୟ ନଥିଲା ବୋଲି କହିଛନ୍ତି ।