ହାଟରେ ବିକ୍ରି ହେଉଛି ବର

ବିଚିତ୍ର ଏହି ବିଶ୍ୱ ଓ ଅଦ୍ଭୁତ ଏହାର ପରମ୍ପରା । ବିଭିନ୍ନ ଦେଶର ପରମ୍ପରା ଭିନ୍ନ । ସାଧାରଣ ଜୀବନ ଶୈଳୀ ହେଉ ବା ବିବାହ, ଅଧିକାଂଶ ପରମ୍ପରା ଅନ୍ୟଠାରୁ ପୃଥକ । ଆସନ୍ତୁ ଜାଣିବା ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଚଳିତ କିଛି ଅଦ୍ଭୁତ ପରମ୍ପରା ସମ୍ପର୍କରେ ।
ବିବିଧତା ସମ୍ପନ୍ନ ଦେଶ ଭାରତରେ ବିବାହ ପରମ୍ପରା ବିଭିନ୍ନ ଏବଂ ବଡ଼ ବିଚିତ୍ର । ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରାରେ ବିବାହ ସମ୍ପନ୍ନ ହୋଇଥାଏ । ତେବେ ବର କେଉଁଠି ହାଟ ବସି ବିକ୍ରି ହେଉଥିବା କଥା ଶୁଣିନଥିବେ । ବିହାରର ମଧୁବନୀ ଅନ୍ତର୍ଗତ ସୌରାଠ ନାମକ ସ୍ଥାନରେ ମୈଥିଳୀ ବ୍ରାହ୍ମଣମାନେ ଜ୍ୟେଷ୍ଠ କିମ୍ବା ଆଷାଢ଼ ମାସରେ ଏପରି ମେଳାର ଆୟୋଜନ କରିଥାନ୍ତି । ଯେଉଁଠାରେ କନ୍ୟା ଘର ଲୋକେ ବିବାହ ଯୋଗ୍ୟ ବର ଖୋଜନ୍ତି । ଅବଶ୍ୟ ଏବେକାର ଯୁବପିଢ଼ି ଏହି ପରମ୍ପରାକୁ ମାନୁନାହାନ୍ତି ଏବଂ ପୂର୍ବ ପରି ଏହି ମେଳାରେ ଭିଡ଼ ମଧ୍ୟ ଜମୁନାହିଁ । ତେବେ ପରମ୍ପରା ଅନୁସାରେ ପ୍ରାୟ ୫ ଏକର ଅଞ୍ଚଳରେ ୭ରୁ ୧୧ ଦିନ ଧରି ଏହି ବର ବଜାର ବସାଯାଉଛି । ଏହାର ନାମ ସୌରାଠ ସଭା ବା ମେଳା । ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳ ସହିତ ଏହି ନାମ ଜଡ଼ିତ । କୁହାଯାଏ ମୋଗଲମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦୁଇ ଜଣ ବ୍ରାହ୍ମଣ ସୌରାଷ୍ଟ୍ରରୁ ଆସି ସେହି ଅଞ୍ଚଳରେ ବସବାସ କରୁଥିଲେ । ସେମାନଙ୍କ ନାଁ ଅନୁସାରେ ସ୍ଥାନର ନାମ ସୌରାଠ ହୋଇଛି । ଯୌତୁକ ପ୍ରଥା ରୋକିବା ଲାଗି ମିଥିଳା ରାଜା ହର ସିଂହ ଦେବ ୧୩୧୦ରେ ଏହି ମେଳା ଆୟୋଜନ କରିଥିଲେ ବୋଲି କୁହାଯାଏ । ଏଠାକୁ ସାଧାରଣତଃ ମଧ୍ୟବିତ୍ତ ପରିବାରର ଲୋକେ ଆସୁଥିବା ବେଳେ କନ୍ୟାପକ୍ଷର ଲୋକଙ୍କୁ ବିଭିନ୍ନ ବୃତ୍ତିର ବରପାତ୍ର ଏହି ମେଳାରେ ମିଳିଯାନ୍ତି । ବରପକ୍ଷ ଓ କନ୍ୟାପକ୍ଷ ପରସ୍ପର ସମ୍ପର୍କରେ ସମସ୍ତ ତଥ୍ୟ ଜାଣିସାରିବା ପରେ ସେମାନଙ୍କ ସହମତିରେ ପଞ୍ଜୀକରଣ କରାଯାଇ ବିବାହ କରାଯାଇଥାଏ । ଏଠାରେ ପଞ୍ଜିକାରଙ୍କ ପାଖରେ ବରପକ୍ଷ ଓ କନ୍ୟାପକ୍ଷର ବଂଶାବଳୀ ରହିଥାଏ । ସେଥିରୁ ଉଭୟ ପରିବାର ମଧ୍ୟରେ ସାତ ପୁରୁଷ ଧରି ବୈବାହିକ ସମ୍ପର୍କ ରହିନଥିବା ଜଣାପଡ଼ିଲେ ହିଁ ବାହାଘର କଥା ଆଗେଇ ନିଅନ୍ତି । ପୂର୍ବରୁ ସୌରାଠ ମେଳାରେ ବିବାହ ହେବା ସମ୍ମାନର ପ୍ରତୀକ ଥିଲା । ଏହି ବିବାହରେ ଯୌତୁକ ଦାବି କରାଯାଉନଥିଲା । ସମଗୋତ୍ରୀ ବିବାହ ମଧ୍ୟ ମନା କରାଯାଉଥିଲା । ଏବେ କିନ୍ତୁ ଏ ସବୁଥିରେ ପରିବର୍ତ୍ତନ ଆସିଛି । ଏହି ଐତିହାସିକ ପରମ୍ପରାକୁ ପୁନରୁଦ୍ଧାର କରିବାକୁ ମଧ୍ୟ ବୁଦ୍ଧିଜୀବୀମାନେ ଚିନ୍ତା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ