ହାତରୁ କିଣି ରୋଷେଇ କରୁଛନ୍ତି ଶିକ୍ଷକ
ନାଉଗାଁ,ସରକାରଙ୍କ ପକ୍ଷରୁ ବିଦ୍ୟାଳୟରେ ଉପସ୍ଥାନ ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜାନର ପରିଚାଳନରେ ପ୍ରଶାସନିକ ତ୍ରୁଟି ଯୋଗୁଁ ବ୍ୟବସ୍ଥା ସଠିକ କାର୍ଯ୍ୟକାରୀ ହେଉ ନଥିବା ଜଣାଯାଇଛି । ଏହି ଯୋଜାନରେ ୧ ଏପ୍ରିଲ ୨୦୧୫ ଠାରୁ ୩୧ ଅକ୍ଟୋବର ୨୦୧୭ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ଧାରସୁତ୍ରରେ ଚାଉଳ ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରିଥିଲେ । ପରେ ଉକ୍ତ ଚାଉଳ ଫେରସ୍ତ କରାଯାଇଥିଲେ ମଧ୍ୟ କୌଣସି ସରକାରୀ ପ୍ରମାଣପତ୍ର ନଥିବା ସ୍ୱତନ୍ତ୍ର ଅଡିଟିରୁ ଧରାପଡିଥିଲା ।ଉକ୍ତ ଚାଉଳକୁ ଫେରସ୍ତ ପାଇଁ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ଦପ୍ତର ଚିଠି ନମ୍ବର ୬୪୫୭/ତା ୨୨ ଜୁନ ୨୦୧୯ରେ ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା ।ଏହି ତାଲିକାରେ ନାଉଗାଁ ବ୍ଳକର ସମୁଦାୟ ୬୩ଟି ବିଦ୍ୟାଳୟ ରହିଥିଲା । ଉକ୍ତ ବିଦ୍ୟାଳୟ ଗୁଡିକ ଚାଉଳର ଧାର୍ଯ୍ୟ ମୂଲ୍ୟ କିଲୋ ଗ୍ରାମ ପିଛା ୨୮.୩୬ ଟଙ୍କାରେ ଜିଲ୍ଲା ମଧ୍ୟାହ୍ନ ଭୋଜନ ବ୍ୟାଙ୍କ ଆକାଉଂଟରେ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ଘଟଣାର ସମାଧାନ ନ ସରୁଣୁ ଆଉ ଏକ ଘଟଣା ପଦାକୁ ଆସିଛି । ମଧ୍ୟାହ୍ନ ଭୋଜନ ଚାଉଳ ବିତରଣକାରୀ ସଂସ୍ଥା ଚାଉଳ ଯୋଗାଣରେ ବିଳମ୍ବ କରିବାରୁ ଶିକ୍ଷକମାନେ ନିଜ ପକେଟରୁ ଚାଉଳ କିଣି ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନା ଅନୁସାରେ ନାଉଗାଁ ବ୍ଲକରେ ୮୮ ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ପ୍ରାଥମିକ ବିଦ୍ୟାଳୟରେ ୨୫୯୭ ଜଣ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ମୋଟ ୪୭୦୬ ଜଣ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ଏହି ସମସ୍ତ ବିଦ୍ୟାଳୟରେ ଅଗଷ୍ଟ ମାସ ପୂର୍ବରୁ ମଧ୍ୟାହ୍ନ ଭୋଜନ ଚାଉଳ ବିତରଣକାରୀ ସଂସ୍ଥା ମେଘନା ମାଇନସ ମିନେରାଲସ ଆଣ୍ଡ ରିସୋର୍ସ ପ୍ରାଇଭେଟ ଲିଃ ଚାଉଳ ଯୋଗାଇ ଆସୁଥିଲେ । କିନ୍ତୁ ଉକ୍ତ ସଂସ୍ଥା ଚାଉଳ ବିତରଣ କରିବା ଦାୟିତ୍ୱରୁ ଓହରି ଯାଇଥିବା ଜଣାଯାଇଛି ।ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିନା ଟେଣ୍ଡରରେ ୟୁଏନ ନାମକ ସଂସ୍ଥାକୁ ଚାଉଳ ବିତରଣ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ସଂପୃକ୍ତ ସଂସ୍ଥା ପକ୍ଷରୁ ଅଗଷ୍ଠ ମାସରୁ ନାଉଗାଁ ବ୍ଲକର ସମସ୍ତ ବିଦ୍ୟାଳୟରେ ଚାଉଳ ବିତରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ବିଦ୍ୟାଳୟ ଗୁଡିକରେ ନିଜଇଛା ଅନୁସାରେ ଚାଉଳ ବିତରଣ କରାଯାଇଥିବା ଶିକ୍ଷକମାନେ ଅଭିଯୋଗ କରିଥିଲେ । ପରେ ଉକ୍ତ ସଂସ୍ଥା ପକ୍ଷରୁ ସେପ୍ଟମ୍ବର ମାସରେ ପାଖାପାଖି ୧୫ରୁ ଉର୍ଦ୍ଧ ବିଦ୍ୟାଳୟରେ ଚାଉଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ଅବଶିଷ୍ଟାଂଶ ବିଦ୍ୟାଳୟକୁ ଚାଉଳ ଯୋଗାଇ ଦିଆଯାଇନଥିଲା । ଯାହାଫଳରେ ଚାଉଳ ପାଇ ନଥିବା ବିଦ୍ୟାଳୟ ଗୁଡିକରେ ଚାଉଳର ଆବଶ୍ୟକ ପଡିବାରୁ ବ୍ଲକ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ସଂପୃକ୍ତ ଅଧିକାରୀ ସୂଚନା ପାଇଁ ଚାଉଳ ତୁରନ୍ତ ଯୋଗାଇ ଦେବାକୁ ବିତରଣକାରୀ ସଂସ୍ଥାକୁ କୁହାଯାଇଥିଲା । ସଂପୃକ୍ତ ବିତରଣକାରୀ ସଂସ୍ଥା ପକ୍ଷରୁ ଦିନେ ଦୁଇ ଦିନ ମଧ୍ୟରେ ବିଦ୍ୟାଳୟ ଗୁଡିକୁ ଚାଉଳ ଯୋଗାଇ ଦିଆଯିବ ବୋଲି ଅଧିକାରୀଙ୍କୁ କୁହାଯାଇଥିଲେ ମଧ୍ୟ ବିଦ୍ୟାଳୟ ଗୁଡିକୁ ଚାଉଳ ଯୋଗାଇ ଦିଆଯାଇନଥିଲା । ଏହାପରେ ବିଦ୍ୟାଳୟରେ ପୁଜା ଛୁଟି ହୋଇଯାଇଥିଲା । ପୂଜା ଛୁଟି ଶେଷ ହୋଇ ଦୁଇ ଦିନ ହେଲା ବିଦ୍ୟାଳୟ ଖୋଲା ଯାଇଥିଲେ ମଧ୍ୟ ଉକ୍ତ ସଂସ୍ଥା ପକ୍ଷରୁ ଅଦ୍ୟାବଧି ଚାଉଳ ଯୋଗାଇ ଦିଅଯାଇନଥିବା ଜଣାଯାଇଛି । ଅନ୍ୟପଟରେ ଚାଉଳ ପାଇ ନଥିବା ବିଦ୍ୟାଳୟ ଗୁଡିକ ପୂଜା ଛୁଟି ପୂର୍ବରୁ ଶିକ୍ଷକମାନେ ନିଜ ପକେଟରୁ ଖର୍ଚ୍ଚ କରି ଚାଉଳ କିଣି ଆଣି ରୋଷେଇ କରି ଆସୁଛନ୍ତି । ସେମାନେ ଉକ୍ତ ଚାଉଳର ଟଙ୍କା ଫେରି ପାଇବେ କି ନା ସଂପୃକ୍ତ ସଂସ୍ଥା ଉକ୍ତ ଚାଉଳକୁ ଦର୍ଶାଇ ନିଜେ ଖାଇ ଦେବେ ଏହାକୁ ନେଇ ସେମାନଙ୍କ ମନରେ ବଡ ପ୍ରଶ୍ନ ଉଠିଛି । ଏ ସଂର୍ପକରେ ୟୁଏନ ସଂସ୍ଥାର କର୍ମଚାରୀଙ୍କୁ ପଚାରିବାରୁ ଆମ ସଂସ୍ଥା ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ବିନା ଟେଣ୍ଡରେ ନାଉଗାଁ ବ୍ଳକରେ ଏକ ମାସ ତଥା ସେପ୍ଟେମ୍ବର ମାସ ପାଇଁ ଚାଉଳ ବିତରଣ କରିବା ପାଇଁ କୁହାଯାଇଥିଲା । ଯାହାକୁ ନେଇ ଏକ ମାସ ବିତରଣ କରାଯାଇଥିବା କହିଥିଲେ । ଏ ସଂର୍ପକରେ ନାଉଗାଁ ବ୍ଳକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କୁ ପଚାରିବାରୁ ବଳକା ଥିବା ବିଦ୍ୟାଳୟରେ ଚାଉଳ ଯୋଗାଇ ଦେବା ପାଇଁ ଉକ୍ତ ସଂସ୍ଥାକୁ କୁହାଯାଇଥିଲା କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ଚାଉଳ ଯୋଗାଇ ଦିଅ ନଯିବାରୁ ଏହାର ସମାଧାନ ପାଇଁ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଯାଇଥିବା କହିଥିଲେ ।


