ହାତରେ ଝାଡୁ ଧରି ସଫା କଲେ ଦିଗପହଣ୍ଡି ଅତିରିକ୍ତ ଦେଓ୍ବାନୀ ବିଚାରପତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ସଶକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଦିଗପହଣ୍ଡି ଆଇନ ସେବା କମିଟି ପକ୍ଷରୁ କୋର୍ଟ ପରିସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କମିଟିର ଅଧ୍ଯକ୍ଷା ତଥା ଅତିରିକ୍ତ ଦେଓ୍ବାନୀ (କନିଷ୍ଠ) ବିଚାରପତି ପ୍ରିୟଦର୍ଶିନୀ ତ୍ରିପାଠୀ ସେବା ଓ ତ୍ଯାଗର ଆଦର୍ଶ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ପ୍ରଥମେ ନିଜେ ଝାଡୁଧରି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ।ଏହାପରେ ବିଚାର ବିଭାଗୀୟ କର୍ମଚାରୀ ଶିବରାମ ସାହୁ, ଅଞ୍ଜଳି ମହାରଣା, ସଶ୍ମିତା ମହାରଣା, ସଂଗ୍ରାମ କେଶରୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାତ୍ର, ବିକ୍ରମ ବେହେରା ପ୍ରମୁଖ ଏଥିରେ ସାମିଲ ହୋଇ ସାମୁହିକ ସଫେଇ କରିଥିଲେ।ସେହିଭଳି ବୀଣାପାଣି ନର୍ସରୀ ବିଦ୍ୟାଳୟ ପକ୍ଷରୁ ସମ୍ପାଦକ ବଳରାମ ମହାରଣା, ଅଧ୍ଯକ୍ଷା ବିଷ୍ଣୁପ୍ରିୟା ଦାଶ ଏବଂ ସହ-ଅଧ୍ଯକ୍ଷା ରୀତାଞ୍ଜଳି ମହାରଣାଙ୍କ ନେତୃତ୍ୱରେ ମଧ୍ୟ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।