ହାତରେ ଥିବା ଲେଖାରୁ ମିଳିବ କି ମହିଳାଙ୍କ ପରିଚୟ ? ଫିଙ୍ଗର ପ୍ରିଣ୍ଟ ନେଇ ଆଧାର ସହ ଯୋଡ଼ିବ ପୋଲିସ
କଟକ, (ଯୁଗାବ୍ଦ ନ୍ୟୁଜ):କଟକ ପରମହଂସ କାଠଯୋଡି ପଠାରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ବିତିଲାଣି । ଏ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ପାଇପାରିନାହିଁ ପୋଲିସ । ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି । ମହିଳାଙ୍କ ହାତରେ ଲେଖାଥିବା ଓମ୍ ବାବା ବଳିଆ ଓ ପିତା ମାତା ଲେଖାକୁ ନେଇ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି ପୋଲିସ । ପରିଚୟ ଜାଣିବାକୁ ପୋଲିସ ବାବା ବଳିଆ ଆଶ୍ରମକୁ ଯାଇ ମହିଳାଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଆରମ୍ଭ କରିଛି । ପରିଚୟ ଖୋଜିବା ପାଇଁ ମହିଳାଙ୍କ ଫିଙ୍ଗରପ୍ରିଣ୍ଟରୁ ଆଧାର ସହ ଯୋଗକରାଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି । ଏଥିସହ ପରିଚୟ ପାଇଁ ପୋଲିସ କଟକ ନିକଟବର୍ତ୍ତୀ ଜିଲ୍ଲାକୁ ଅବଗତ କରିଛି । ତେବେ ମହିଳାଙ୍କ ହାତରେ ବାବା ବଳିଆ ଲେଖା ଥିବାରୁ ସେ ଜଗତସିଂହପୁର ଜିଲ୍ଲାର ବୋଲି ସନ୍ଦେହ କରାଯାଉଛି । ଏଥିସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଲାଗୁଥିବା ବିଭିନ୍ନ ସିସିଟିଭି କ୍ୟାମେରାର ଯାଞ୍ଚ ଆରମ୍ଭ କରିଛି ଏକ ଟିମ୍ । ତେବେ ମହିଳାଙ୍କ ପରିଚୟ ପାଇବା ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ । ମହିଳାଙ୍କ ପରିଚୟ ମିଳିବା ପରେ ତଦନ୍ତ ଆଗକୁ ବଢିବ ବୋଲି କଟକ ଡିସିପି କହିଛନ୍ତି ।


