ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଓଡିଶା ଆଦର୍ଶ ବିଦ୍ୟାଳୟରେ ୭୬ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଷଢଙ୍ଗୀ ନିଜ ବକ୍ତବ୍ୟରେ ସ୍ୱାଧୀନତା ପାଇଁ ସହୀଦ ଓ କାରାଦଣ୍ଡ ଭୋଗିଥିବା ମହାମନିଷୀମାନଙ୍କ ସ୍ମୃତିଚାରଣ କରି, ଦେଶପ୍ରେମରେ ଉଦବୁଦ୍ଧ ହୋଇ ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଛାତ୍ରଛାତ୍ରୀମାନଙ୍କ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ପ୍ୟାରେଡ଼ରେ , ମହାନଦୀ ହାଉସ୍ , ସୁବର୍ଣରେଖା ହାଉସ୍, ବ୍ରାହ୍ମଣୀ ହାଉସ୍ ଓ ବଂଶଧାରା ହାଉସ୍ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ମିଳିତ ପ୍ୟାରେଡ୍ ରେ ବଂଶଧାରା ହାଉସ୍ ପ୍ରଥମ ସ୍ଥାନ ଅଧିକାର କରିଥିଲ। ସ୍ୱାଧୀନତା ଦିବସ ଉପଲକ୍ଷେ ତର୍କ, ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, କାର୍ଡ଼ବୋର୍ଡ୍ ଡ଼େକୋରେସନ୍ ପ୍ରଭୃତିରେ ବହୁ ଛାତ୍ରଛାତ୍ରୀ ଭାଗନେଇ ନିଜ ନିଜ କଳାନିପୁଣତା ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନ ପକ୍ଷରୁ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତର ଏକ ଅଂଶ ଥିଲା ସ୍ୱଚ୍ଛ ଭାରତ। ଯେଉଁ ଦୁଇ ସଫେଇ କର୍ମଚାରୀ ବିଦ୍ୟାଳୟ ପରିସରକୁ ସଫା ସୁତୁରା ରଖି ସୁସ୍ଥ ପରିବେଶ ସୃଷ୍ଟି କରିଛନ୍ତି ସେହି ଦୁଇ କର୍ମଚାରୀ ସଜନୀ ପ୍ରଧାନ ଓ ରାଜେନ୍ଦ୍ର ସାହୁଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ଶ୍ରାବଣୀ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଅମ୍ବିକା ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ