ହାତୀ ଆକ୍ରମଣରେ ବୃଦ୍ଧ ମୃତ
ବାରିପଦା, (ଓ୍ବାଇଏନ୍ଏସ୍):ବର୍ତମାନ ହାତୀ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଥିବାର ଦେଖିବାକୁ ମିଳିଛି । କେତେବେଳେ ମଣିଷ ହାତୀର ଜୀବନ ନେଉଛି, ପୁଣି କେତେବେଳେ ହାତୀ ମଣିଷର ଜୀବନ ନେଉଛି । ଅନୁରୂପ ଘଟଣା କ୍ରମେ ଆଜି ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତଥା ବାରିପଦା ବନଖଣ୍ଡ ଅଧୀନ ରାସଗୋବିନ୍ଦପୁର ରେଞ୍ଜ ରଜାବସା ଗ୍ରାମପଚାଂୟତ କୁକୁଡ଼ାଯୋଡ଼ି ଗ୍ରାମରେ ବନ ବିଭାଗର ଖାମଖିଆଲି ମନୋଭାବ କାରଣରୁ ହାତୀଟି ଜଣେ ବୃଦ୍ଧଙ୍କ ଜୀବନ ନେଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ସକାଳ ପ୍ରାୟ ୬ଟା ସମୟରେ କୁକୁଡ଼ାଯୋଡ଼ି ଗ୍ରାମର ଚତୁର୍ଭୁଜ ନାଏକ (୬୫) ନିକଟ କୁକୁଡ଼ାଯୋଡ଼ି ସଂରକ୍ଷିତ ଜଙ୍ଗଲ ପାଶ୍ୱର୍ ବନ୍ଧକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ୫ଟି ହାତୀ ଥିବା ପଲ ହଠାତ୍ ସମ୍ମୁଖକୁ ଆସିଯାଇଥିଲେ ଏବଂ ଉକ୍ତ ପଲ ମଧ୍ୟରୁ ଏକ ହାତୀ ଚତୁର୍ଭୂଜଙ୍କୁ ଶୁଣ୍ଢରେ ଟେକି ତଳେ କଚାଡ଼ିବା ସହ ପାଦରେ ଦଳି ମାରିଥିଲା । ତାଙ୍କୁ ଏଭଳି କଲବଲ କରି ମାରିବା ପରେ ହାତୀଟି ସେଠାରେ ପ୍ରାୟ ଏକ ଘଂଟାରୁ ଅଧିକ ସମୟ ଧରି ହାତୀ ପଲ ସହିତ ଜଗି ବସିଥିଲା । ଏହି ଖବର ପ୍ରଚାରିତ ହେବା ପରେ ହାତୀ ପଲ ଗ୍ରାମ ଭିତରକୁ ପଶି ଆସିବା ଭୟରେ କୁକୁଡ଼ାଯୋଡ଼ି ଗ୍ରାମରେ ଜନସାଧାରଣଙ୍କ ଘରେ ତାଟି କବାଟ ପଡ଼ିଯାଇଥିଲା । ହାତୀ ପଲ ଜଙ୍ଗଲ ଭିତରକୁ ଚାଲିଯାଇଥିବାର ଜଣାପଡ଼ିବା ପରେ ନିଜ ନିଜ ଘରୁ ପଦାକୁ ବାହାରିଥିଲେ ଲୋକେ । ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବାରିପଦା ପିଆରଏମ ମେଡ଼ିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲେ । ଏହି ହାତୀ ପଲ କୁଲଡ଼ିହା ଜଙ୍ଗଲରୁ ଆସିଥିବାର କୁହାଯାଉଥିବା ବେଳେ ଗତ କାଲି ରାତିରେ କୁକୁଡ଼ାଯୋଡ଼ି ଜଙ୍ଗଲରେ ରହିଥିଲେ । ତେବେ ବନ ବିଭାଗ ନିକଟରେ ଉକ୍ତ ହାତୀ ପଲର ଚଳପ୍ରଚଳ ଓ ଗତିବିଧି ସମ୍ପର୍କରେ ସୂଚନା ଥିଲା କି ନାହିଁ । ଯଦି ରହିଥିଲା ଘଉଡ଼ାଇବା ନିମନ୍ତେ ବନ କର୍ମଚାରୀ ନିୟୋଜିତ କରାଯାଇଥିଲା କି ନାହିଁ ତାହା ଏକ ପ୍ରଶ୍ନବାଚୀ । ସେହିପରି ହାତୀ ପଲର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା, ତେବେ ସେ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସତର୍କ କରାଯାଇଥିଲେ ହୁଏତ ଚର୍ତୁଭୂଜ ନାଏକଙ୍କ ମୃତ୍ୟୁ ହୋଇନଥାନ୍ତା । ଏପରି ସ୍ଥିତିରେ ଘଟଣା ପାଇଁ ବନ ବିଭାଗର ଖାମଖିଆଲି ମନୋଭାବକୁ ଦାୟୀ କରଛନ୍ତି ସ୍ଥାନିୟ ଲୋକେ । ଏ ବିଷୟରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂମ୍ ମଲ୍ଲିକ ରାତି ଅଢ଼େଇଟା ସମୟରେ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ହାତୀପଲ ସମ୍ପର୍କରେ ମେସେଜ ରହିଛି । ଜନସାଧାରଣଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ସରକାର ଶୌଚ ନିମନ୍ତେ ପାଇଖାନା ଯୋଗାଇ ଦେଇଛନ୍ତି । ମାତ୍ର ସେମାନେ ବାହ୍ୟ ମଳତ୍ୟାଗକୁ ପରିତ୍ୟାଗ କରିବାକୁ ପ୍ରସ୍ତୁତ ନୁହନ୍ତି । ଯେତିକି ହାତୀ ଆକ୍ରମଣରେ ମୃତ୍ୟୁ ଖବର ରହିଛି ଏହା ମଧ୍ୟରୁ ଅଧିକାଂଶ ବୃଦ୍ଧ ଅଟନ୍ତି । ହଠାତ୍ ହାତୀ ସମ୍ମୁଖକୁ ଚାଲି ଆସିଲେ ପଳାୟନ କରିବାରେ ସାମର୍ଥ୍ୟ ନ ଥିବାରୁ ହାତୀ ହାବୁଡ଼ରେ ପଡ଼ିଯାଉଛନ୍ତି । ମୃତକ ଚତୁର୍ଭୂଜଙ୍କ ପରିବାରରକୁ ସରକାରଙ୍କ ନିୟମ ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏଥି ନିମନ୍ତେ ଆବଶ୍ୟକ କାଗଜପତ୍ର ଦାଖଲ ହେବା ପରେ ୪ କିସ୍ତିରେ ସହାୟତା ମିଳିଯିବ । ତେବେ ପରିବାରକୁ ଚତୁର୍ଭୂଜଙ୍କ ଅନ୍ତିମ ସଂସ୍କାର ଓ ଶୁଦ୍ଧିକ୍ରିୟା ଆଦି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ ।